ଗୁପ୍ତଚର ବିବାଦ ତେଜୁଛି: ବ୍ରିଟେନ୍‌କୁ ଧମକାଇଲା ରୁଷ୍‌

ମସ୍କୋ: ଗୁପ୍ତଚର ସଙ୍କଟକୁ ନେଇ ଆରମ୍ଭ ହୋଇଥିବା କୂଟନୈତିକ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଗତକାଲି ଆମେରିକା ସମେତ ୨୩ଟି ରାଷ୍ଟ୍ରର କୂଟନୀତିଜ୍ଞଙ୍କୁ ରୁଷ୍‌ ବହିଷ୍କାର କରିବା ପରେ ଆଜି ଅତିକମ୍‌ରେ ୫୦ଜଣ କୂଟନୀତିଜ୍ଞଙ୍କୁ ବ୍ରିଟେନ୍‌ ତୁରନ୍ତ ଫେରାଇ ନେବାକୁ କହିଛି। ଏହା ତତ୍କାଳ କାର୍ଯ୍ୟକାରୀ ନକଲେ ସମସ୍ତ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯିବ ବୋଲି ରୁଷ୍‌ ବ୍ରିଟେନ୍‌କୁ ଧମକାଇଛି । ରୁଷ୍‌ରେ ବ୍ରିଟେନ୍‌ କୂଟନୀତିଜ୍ଞଙ୍କ ସଂଖ୍ୟା ରୁଷ୍‌ ଅପେକ୍ଷା ୫୦ ଅଧିକ ରହିଥିବାରୁ ଏଭଳି ନିର୍ଦ୍ଦେଶ ଦିଆଯାଇଥିବା ରୁଷ୍‌ ବୈଦେଶିକ ବ୍ୟାପର ମନ୍ତ୍ରାଳୟ ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି। ଏହି ମାମଲାରେ ରୁଷ୍‌ ପ୍ରଥମରୁ ହିଁ ବ୍ରିଟେନ୍‌ର ୨୩ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିସାରିଛି। ଆଜି ବ୍ରିଟେନ୍‌ ରାଷ୍ଟ୍ରଦୂତ ଲୌରୀ ବ୍ରିଷ୍ଟୋଙ୍କୁ ରୁଷ୍‌ ସରକାର ସମନ ଜାରି କରି ମାସକ ମଧ୍ୟରେ କୂଟନୈତିକ ସମ୍ପର୍କ ଛିନ୍ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ରୁଷ୍‌ ଦୂତାବାସ ବନ୍ଦ କରି କୂଟନୈତିକ ସମ୍ପର୍କ କାଟିବାକୁ ବ୍ରିଟେନ ନିର୍ଦ୍ଦେଶ ଦେଇସାରିଛି। ଆଜି ଲଣ୍ଡନରେ ଏକ ରୁଷ୍‌ ବିମାନର ଯାଞ୍ଚ କରାଯିବା ପରେ ଏହାକୁ ନେଇ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ କ୍ଷୋଭ ପ୍ରକାଶ କରିଛନ୍ତି। ପୁଟିନ୍‌ କହିଛନ୍ତି ଯେ, ଲଣ୍ଡନର ବିମାନଗୁଡ଼ିକ ମଧ୍ୟ ରୁଷ୍‌ ଆସୁଛି, ତେଣୁ ସେମାନଙ୍କୁ ବି ଅନୁରୂପ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ । ବ୍ରିଟେନ୍‌ ଗୁପ୍ତଚର ସର୍ଗେଇ ସ୍କ୍ରିପାଲ ଓ ତାଙ୍କ ଝିଅଙ୍କୁ ବିଷଦେଇ ହତ୍ୟା ଉଦ୍ୟମ ମାମଲାରେ ରୁଷ୍‌ର ହାତଥିବା ବ୍ରିଟେନ୍‌ ଅଭିଯୋଗ କରିବା ପରେ ଏହାକୁ ନେଇ ସଙ୍କଟ ଉପୁଜିଛି।

ସମ୍ବନ୍ଧିତ ଖବର