ପୁଣି ସ୍ୱାଭାବିକ ସେବା ଆରମ୍ଭ କଲା ୟେସ ବ୍ୟାଙ୍କ, ଜମାକାରୀ ଆଶ୍ୱସ୍ତ

ମୁମ୍ବାଇ : ପ୍ରାୟ ୨ ସପ୍ତାହ ବନ୍ଦ ରହିବା ପରେ ପୁଣି ଥରେ ନିଜର ସ୍ୱାଭାବିକ ବ୍ୟାଙ୍କ ସେବା ଆରମ୍ଭ କରିଛି ୟେସ ବ୍ୟାଙ୍କ । ଏହା ଫଳରେ ହଜାର ହଜାର ଗ୍ରାହକ ଆଶ୍ୱସ୍ତ ହୋଇଛନ୍ତି । ସ୍ୱାଭାବିକ ସେବା ଆରମ୍ଭ ହେବା ସମ୍ପର୍କରେ ୟେସ ବ୍ୟାଙ୍କ ଟ୍ଵିଟ କରି ସୂଚନା ଦେଇଛି । ଚଳିତ ମାସ ୩ ତାରିଖରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲଗାଯାଇଥିବା କଟକଣା ଆଜି ଉଠିବା ପରେ ୟେସ ବ୍ୟାଙ୍କ ନିଜର ସେବା ଆରମ୍ଭ କରିଛି ।
ସ୍ୱାଭାବିକ ସେବା ଆରମ୍ଭ ହେବା ପରେ ଆସନ୍ତା କାଲି ପୁରୀ ଜଗନ୍ନାଥ ମନ୍ଦିରର ୫୪୫ କୋଟି ଟଙ୍କା ଉଠାଯାଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି ।

ଗତ ୧୩ ତାରିଖରେ କେନ୍ଦ୍ର ସରକାର ୟେସ ବ୍ୟାଙ୍କର ପୁନର୍ଗଠନକୁ ମଂଜୁରୀ ଦେଇଥିଲେ । ଏହା ଅନୁଯାୟୀ ଷ୍ଟେଟ ବ୍ୟାଙ୍କ ୟେସ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ ଅଧିକାର କରିଛି । ସେହିପରି ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ଅଂଶଧନ ଖରିଦ ପାଇଁ ପ୍ରସ୍ତାବ ଦେଇଛନ୍ତି । ରିଜର୍ଭ ବ୍ୟାଙ୍କ ଗତ ୫ ତାରିଖରେ ଆର୍ଥିକ ସଂକଟରେ ପଡ଼ିଥିବା ୟେସ ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସକୁ ଭାଙ୍ଗିଦେବା ସହ ଜମାକାରୀଙ୍କ ପାଇଁ ମାସିକ ଜମା ଉଠାଣକୁ ୫୦ହଜାର ଟଙ୍କା ମଧ୍ୟରେ ସୀମିତ ରଖିଥିଲେ । ଏହା ସହିତ ବ୍ୟାଙ୍କ କୌଣସି ନୂଆ ଋଣ ଦେଇପାରିବେ ନାହିଁ କିମ୍ବା ନୂଆ ନିବେଶ କରିପାରିବେ ନାହିଁ ବୋଲି କଟକଣା ଲାଗୁ କରିଥିଲେ ।

ସମ୍ବନ୍ଧିତ ଖବର