ଘୋଡ଼ା ପୋଷି ଘୋଡ଼ା ଚଢ଼ିବା ଯୋଗୁଁ ଗୁଜରାଟ ଦଳିତ ଯୁବକଙ୍କୁ ହତ୍ୟା; ୩ ଅଟକ

ଅହମଦାବାଦ: ଭାବନଗର ଜିଲ୍ଲାରେ ଜଣେ ଦଳିତ ଯୁବକ ଗୋଟାଏ ଘୋଡ଼ା ପାଳିବା ସହ ତା’ ଉପରେ ସବାର ହୋଇ ଯାତାୟାତ କରିବା କାରଣରୁ ଉଚ୍ଚ ଜାତିର ଲୋକେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଥିବା କଥା ପୁଲିସ କହିଛି।

ଭାବନଗର ଅନ୍ତର୍ଗତ ଉମ୍ରାଲା ତାଲୁକ୍‌ର ତିମ୍ବି ଗାଁ’ରେ ଗୁରୁବାର ଦିନ ୨୧ ବର୍ଷିୟ ପ୍ରଦୀପ ରାଥୋଡ୍‌ଙ୍କୁ ହତ୍ୟା କରାଯାଇଥିଲା। ଆତତାୟୀ ସନ୍ଦେହରେ ତିନି ଜଣକୁ ଅଟକ ରଖା ଯାଇ ପଚରାଉଚୁରା କରାଯାଉଛି ବୋଲି ଭାବନଗର ଏସ୍‌ସି/ଏସ୍‌ଟି ସେଲ୍‌ର ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଏ ଏମ୍‌ ସୟିଦ୍‌ କହିଛନ୍ତି।

ସେ କହନ୍ତି: ଆମେ ତିନି ଜଣ ଲୋକଙ୍କୁ ପଚରା ପଚରି କରୁଛୁ। ଆମେ କିଛି ସିସିଟିଭି ଫୁଟେଜ୍‌ ମଧ୍ୟ ସଂଗ୍ରହ କରିଛୁ ଯେଉଁଥିରେ ଶବ ମିଳିବା ପୂର୍ବରୁ ପ୍ରଦୀପ ଘୋଡ଼ାରେ ସବାର ହୋଇଥିବା ଚିତ୍ର ରହିଛି। ପୂର୍ବ ବିବାଦ ଓ ପ୍ରେମ ଆଦି ଘଟଣା ସମେତ ଆମେ ମାମଲାଟିକୁ ଭିନ୍ନ ଦିଗରୁ ତଦନ୍ତ କରୁଛୁ।

ଉମ୍ରାଲା ପୁଲିସକୁ ଦେଇଥିବା ଅଭିଯୋଗ ପତ୍ରରେ ପ୍ରଦୀପଙ୍କ ବାପା କାଲୁଭାଇ ରାଥୋଡ୍‌ ଦାବି କରିଛନ୍ତି ଯେ ନିକଟରେ ପୁଅ ଗୋଟାଏ ଘୋଡ଼ା ଖରିଦ କରିଥିବାରୁ କେତେକ ଉଚ୍ଚ ଜାତିର ରାଜପୁତ ଲୋକେ ତା’ ଉପରେ ଅହନ୍ତା ରଖିଥିଲେ।

ଘୋଡ଼ାଟିକୁ ପୁଣି ବିକି ନ ଦେଲେ ଜୀବନରୁ ମାରି ଦେବେ ବୋଲି ସେମାନେ ପ୍ରଦୀପଙ୍କୁ ଧମକ ଦେଇଥିବା କଥା ବାପା ଦାବି କରିଛନ୍ତି।
ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ଗତ ସନ୍ଧ୍ୟାରେ ସେ ଖଳାରୁ ଘରକୁ ଫେରୁଥିବା ବେଳେ କେତେକ ରାଜପୁତ ତାକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି।

ତିମ୍ବି ଗାଁ’ର ନତୁଭା ଦରବାର ଏବଂ କେତେକ ଅଚିହ୍ନା ଲୋଙ୍କ ନାମ ଏଫ୍‌ଆଇଆର୍‌ରେ ଦିଆ ଯାଇଛି ବୋଲି ପୁଲିସ କହିଛି।
ଉମ୍ରାଲା ପୁଲିସ ହାତରୁ ତଦନ୍ତ ଭାର ଗ୍ରହଣ କରି ସୟିଦ୍‌ କହିଛନ୍ତି ଯେ ତିନି ଜଣ ଲୋକଙ୍କୁ ଅଟକ ରଖା ଯାଇଛି।

ସମ୍ବନ୍ଧିତ ଖବର