ବୋତାମ ତିଆରି ଜିନିଷରେ ପ୍ରସ୍ତୁତ ନକଲି ହୀରାକୁ ୧. ୨ କୋଟି ଟଙ୍କାରେ ବିକି ଦୁଇ ବେପାରୀ ଗିରଫ

ହାଇଦ୍ରାବାଦ: ନକଲି ହୀରା ବିକି ଜଣେ ବ୍ୟବସାୟୀଙ୍କୁ ୧. ୨୦ କୋଟି ଟଙ୍କା ଠକିଥିବା ଅଭିଯୋଗରେ ହାଇଦ୍ରାବାଦ ପୁଲିସ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।

ଉକ୍ତ ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ ମୋତି ଏବଂ ରତ୍ନ ପଥର ବ୍ୟବସାୟ କରୁଥିବା ୫୨ ବର୍ଷିୟ ମହମଦ ଅଥର ସିଦ୍ଦିକି ଏବଂ ୩୯ ବର୍ଷିୟ ମହମଦ ସଲାମ ଖାଁଙ୍କୁ ଆବିଦ୍‌ସ୍‌ ଅଞ୍ଚଳରୁ ଗିରଫ କରାଯାଇଛି ବୋଲି ସିଟି ପୁଲିସ କମିସନର୍‌ ଭି ଭି ଶ୍ରୀନିବାସ ରାଓ କହିଛନ୍ତି।

ସିଦ୍ଦିକି ଏବଂ ଖାଁ ତାଙ୍କୁ ୨୫ କ୍ୟାରେଟ୍‌ ହୀରା ଖଣ୍ଡେ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ସେମାନଙ୍କ କଥା ବିଶ୍ୱାସ କରି ଅଭିଯୋଗକାରୀ ୧. ୨୦ କୋଟି ଟଙ୍କା ଦେଇ ଜାନୁଆରି ୧୮ ତାରିଖ ଦିନ ସେଇଟିକୁ ଖରିଦ କରି ନେଇଥିଲେ। ପରୀକ୍ଷା କରାଯିବାରୁ ତାହା ଜାଲ୍‌ ବୋଲି ଜଣା ପଡ଼ିଲ। ହୀରା ପରି ଦିଶୁଥିବା ବୋତାମ ତିଆରିରେ ବ୍ୟବହୃତ ଶସ୍ତା ସାମଗ୍ରୀରେ ତାହା ତିଆରି ହୋଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, ବ୍ୟବସାୟରେ କ୍ଷତି ସହିଥିବା ସିଦ୍ଦିକି ଏବଂ ଖାଁଙ୍କର ଅର୍ଥ ଆବଶ୍ୟକ ଥିବାରୁ ସେ ନକଲି ହୀରାକୁ ଅସଲି କହି ବିକ୍ରୟ କରିବାର ଯୋଜନା କରିଥିଲେ।

ଚାର୍‌ମୀନାରସ୍ଥିତ ରବିବାର ବଜାରରୁ ସେମାନେ ନକଲି ହୀରାଟିକୁ ୩, ୫୦୦ ଟଙ୍କାରେ କିଣି ଉକ୍ତ ବ୍ୟବସାୟୀଙ୍କୁ ବିକି ଥିଲେ।
ଦୁହିଁଙ୍କ ଠାରୁ ପୁଲିସ ୧. ୧୫ କୋଟି ଟଙ୍କା ଜବତ କରିଛି। ତଦନ୍ତ ଚାଲିଥିବା କଥା କମିସନର ରାଓ କହିଛନ୍ତି।

ସମ୍ବନ୍ଧିତ ଖବର