୫ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଜେରା, ବଡ଼ ମାଫିଆ ସନ୍ଧାନରେ ପୁଲିସ

ଖଣ୍ଡଗିରି : ମଙ୍ଗଳବାର ସନ୍ଧ୍ୟାରେ କମିସନରେଟ୍‌ ପୁଲିସ ହାତରେ ଲାଗିଥିବା ୫ଜଣ ବ୍ରାଉନ୍‌ସୁଗାର ଛୋଟ ବେପାରୀଙ୍କୁ ଘନଘନ ଜେରା କରାଯାଉଛି। ସେମାନେ ହେଲେ, ଯଦୁପୁର ଅଞ୍ଚଳର ଟିଙ୍କୁ ଖାଁ(୨୨), ଖୋର୍ଧା ତୋଟାପଡ଼ା ଅଞ୍ଚଳର ସେକ୍ ତଲିମ୍‌(୩୨), ଖୋର୍ଧା ପାନବରଜ ଅଞ୍ଚଳର ସାଗର ପାହାଡ଼ସିଂହ(୨୮), ଜଳେଶ୍ବରର ସେକ୍ ଏହସାନ୍‌(୨୧) ଓ ସେକ୍‌ ସାବିର୍(୨୨)। ସେମାନଙ୍କଠାରୁ ତଥ୍ୟ ସଂଗ୍ରହ କରି ପୁଲିସ ଜଳେଶ୍ବରରୁ ଖୋର୍ଧାକୁ ଲମ୍ବିଥିବା ଏହି ବିଷ ବେପାରର ମାଫିଆମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ କରୁଥିବା ସୂଚନା ମିଳିଛି। ସୂଚନାନୁସାରେ, ସେକ୍ ଏହସାନ୍‌(୨୧) ଓ ସେକ୍‌ ସାବିର୍(୨୨) ଦୁଇ ଜଣଯାକ ବ୍ରାଉନ୍‌ସୁଗାର ଧରି ମଙ୍ଗଳବାର ଖୋର୍ଧାରେ ପହଞ୍ଚିଥିଲେ। ଏହାପରେ ପାନବରଜ ଅଞ୍ଚଳର ସାଗର ଓ ଖୋର୍ଧା ତୋଟାପଡ଼ା ଅଞ୍ଜଳର ସେକ୍ ତଲିମ୍‌ ସହଯୋଗରେ ସେମାନେ ରାଜଧାନୀକୁ ଧଳା ଜହର ନେଇ ଆସିଥିଲେ। ଖବର ପାଇ କ୍ୟୁଏଟି ଓ ଜଟଣୀ ଥାନା ପୁଲିସ ରାତି ପ୍ରାୟ ସାଢ଼େ ୭ଟା ବେଳେ ୧୬ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ଛକରେ ସେକ୍‌ ସାବିର୍ ଓ ସାଗରକୁ ଧରିଥିଲେ। ସେମାନଙ୍କଠାରୁ ୫୧ଗ୍ରାମ୍‌ ବ୍ରାଉନ୍‌ସୁଗାର ଓ ୧୨ ହଜାର ଟଙ୍କା ଜବତ କରିଥିଲା। ସେତେବେଳକୁ ସେକ୍ ଏହସାନ୍‌ ଓ ସେକ୍ ତଲିମ୍‌ ପିତାପଲ୍ଲୀ ଛକ ପାର୍‌ ହୋଇ ସାରିଥିଲେ। ପରେ କ୍ୟୁଏଟି ଓ ଖଣ୍ଡଗିରି ଥାନା ପୁଲିସ ସେମାନଙ୍କୁ ଯଦୁପୁର ଅଞ୍ଚଳର ଟିଙ୍କୁ ଖାଁଙ୍କ ଘରୁ ଧରିଥିଲା। ସେଠାରୁ ପୁଲିସ ୬୧ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଥିଲା।

ସମ୍ବନ୍ଧିତ ଖବର