୬ ଡକାୟତ ଗିରଫ, ବନ୍ଧୁକ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ

ଧର୍ମଶାଳା: ଯାଜପୁର ଧର୍ମଶାଳା ଥାନା ପୁଲିସ୍ ୫ ଜଣ ଡକାୟତ ଓ ଜଣେ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୨ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ଭୁଜାଲି, ୨ଟି ଲୁହା ଛଡ଼, ଛୁରୀ, ୭ଟି ମୋବାଇଲ୍‌ ଫୋନ୍‌, ୨ଟି ଚୋରା ମୂଲ୍ୟବାନ କ୍ୟାମେରା, ୨ଟି ନମ୍ବର ବିହୀନ ବାଇକ୍‌, ୭ଟି ଏଟିଏମ୍ କାର୍ଡ ଆଦି ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଗିରଫ ଡକାୟତମାନେ ହେଲେ ବିଂଝାରପୁର ଥାନା ଜରୀ ମଠସାହି ଗ୍ରାମର ନିତିଶ କୁମାର ମଲିକ(୧୯), ଜରୀ ଗ୍ରାମର ପ୍ରକାଶ କୁମାର ମଲିକ(୧୯), ଯାଜପୁର ଟାଉନ୍ ଥାନା ବୈଦ୍ୟରାଜପୁର ଗ୍ରାମର କୃଷ୍ଣଚନ୍ଦ୍ର ଜେନା ଓରଫ୍ ବବ୍ଲୁ୍(୨୨), ପଣସ ଲାଲବାଗ ଗ୍ରାମର ପ୍ରତ୍ୟୁଷ ରାଉତରାୟ ଓରଫ୍ ଲିମି(୧୯), ବିଧାନପୁର ଗ୍ରାମର କିଶାନ ପୃଷ୍ଟି(୧୯) ଓ ଏମାନଙ୍କ ଠାରୁ ବିଭିନ୍ନ ଚୋରା ସାମଗ୍ରୀ କିଣୁଥିବା ମକେଇପୁର ଗ୍ରାମର ଦେବାଶିଷ ରାଉତ। ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ସୂଚନା ଅନୁସାରେ, ଗତକାଲି ରାତିରେ ଡକାୟତମାନେ ଜାରକା ନିକଟ ଦେଉଳି ପାହାଡ଼ ଶୀର୍ଷଭାଗରେ ଥିବା କାଜୁ ଜଙ୍ଗଲରେ ଏକ ବଡ଼ ଧରଣର ଡକାୟତି କରିବା ପାଇଁ ପ୍ରସ୍ତୁତ ହେଉଥିଲେ। କୌଣସି ସୂତ୍ରରୁ ଖବର ପାଇ ପୁଲିସ୍ ସଦଳବଳ ଦେଉଳି ପାହାଡ଼ କାଜୁଜଙ୍ଗଲରେ ଚଢ଼ାଉ କରି ଡକାୟତମାନଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର