କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣା: ୭ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣାରେ କ୍ୟାପିଟାଲ ଥାନା ପୁଲିସ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳର ଶେଖ ଅମିର୍‌ ମହମ୍ମଦ ଓରଫ ରାଜୁ(୩୦), ସବିର ମହମ୍ମଦ(୪୪), ଲାଟିଫୁର ରେହେମାନ(୩୧), ସାଜିର୍‌ ଖାଁ(୨୭), ହଦ୍‌କତ୍‌ ଖାଁ(୨୨), ଡୁମୁଡ଼ୁମା ହାଉସିଂବୋର୍ଡ କଲୋନିର ସାୟଦ ତଫିକ୍‌ ଅଲ୍ଲୀ(୨୭) ଓ ବିଶ୍ବରଂଜନ ଖଟେଇ(୨୨)। ଅଭିଯୁକ୍ତଙ୍କୁ ଥାନାରେ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି। ତେବେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି।

କଂଗ୍ରେସ ପକ୍ଷରୁ ପ୍ରକାଶିତ ପ୍ରାର୍ଥୀ ତାଲିକାରେ ଜଣେ ଆଶାୟୀଙ୍କୁ ଉପେକ୍ଷା କରି ଟିକେଟ୍‌ ଦିଆନଯିବା ପ୍ରତିବାଦରେ ଏହି ଯୁବକମାନେ ଗତ ୨୩ ତାରିଖ ରାତି ପ୍ରାୟ ୮ଟାରେ କଂଗ୍ରେସ ଭବନରେ ଭଙ୍ଗାରୁଜା କରିଥିଲେ। ଟିକେଟ୍‌ ପାଇନଥିବା ଆଶାୟୀଙ୍କ ଶତାଧିକ ସମର୍ଥକ ଏକ ମୋଟର ସାଇକେଲ ରାଲିରେ ଆସି କଂଗ୍ରେସ ଭବନ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ପରେ ଭିତରେ ପଶି ଚେୟାର, ଟେବୁଲ କମ୍ପ୍ୟୁଟର୍‌ ଆଦି ଭଙ୍ଗାରୁଜା କରି ଫେରାର୍‌ ହୋଇଯାଇଥିଲେ। ଏନେଇ କଂଗ୍ରେସ ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା।

ସମ୍ବନ୍ଧିତ ଖବର