ଆଇଗିଣିଆ ଛକରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲା : ଅଭିଯୁକ୍ତ ଡମ୍ବରୁ ଓ ସହଯୋଗୀ ଗିରଫ

ଖଣ୍ଡଗିରି : ୮ ତାରିଖ ଅପରାହ୍‌ଣରେ ସ୍ଥାନୀୟ ଆଇଗିଣିଆ ଛକରେ ବିମ୍ବାଧର ସୁନ୍ଦରରାୟଙ୍କୁ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ମାମଲାରେ ଖଣ୍ଡଗିରି ଥାନା ପୁଲିସ ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ସିଜୁଆ ଗାଁର ଡମ୍ବରୁ ଜୟସିଂହ(୨୬) ଓ ବରମୁଣ୍ଡାର ସ୍ବରୂପାନନ୍ଦ ସ୍ବାଇଁ(୨୪)। ଏହି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ପୁଲିସ ଅନ୍ୟ ପ୍ରାୟ ୭/୮ଜଣଙ୍କୁ ଖୋଜୁଛି। ସୂଚନାନୁସାରେ ଘଟଣାଦିନ ବିମ୍ବାଧରଙ୍କ ଭଣଜା ଲିପୁ ପରିଡ଼ାଙ୍କ ସହ ମୁଖ୍ୟ ଅଭିଯୁକ୍ତ ଡମ୍ବରୁର ତମାଣ୍ଡୋ ସ୍ଥିତ ଏକ ଜିମ୍‌ରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଖବର ପାଇ ବିମ୍ବାଧର ସେଠ‌ାରେ ପହଞ୍ଚି ନିଜ ଭଣଜା ପକ୍ଷ ନେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଡମ୍ବରୁ ସେଦିନ ନିଜର କିଛି ସହଯୋଗୀଙ୍କୁ ଏକାଠି କରି ଆଇଗିଣିଆ ଛକରେ ବିମ୍ବାଧରଙ୍କୁ ଏକୁଟିଆ ପାଇ ଆକ୍ରମଣ କରିଥିଲା। ସେମା‌ନେ ଖଣ୍ଡା ଓ ଭୁଜାଲି ଭଳି ମାରଣାସ୍ତ୍ରରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ପିଠି, ମୁଣ୍ଡ ଓ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପରେ ପରେ ବିମ୍ବାଧରଙ୍କ ସମର୍ଥକମାନେ ସିଜୁଆରେ ପହଞ୍ଚି ଡମ୍ବରୁକୁ ଖୋଜିବା ସହ ତାଙ୍କ ଘରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ତେଣୁ ଏହି ଗଣ୍ଡ ଗୋଳରେ ଖଣ୍ଡଗିରି ଥାନା ଉଭୟ ପକ୍ଷରୁ ଅଭିଯୋଗ ପାଇ ୨ଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର