ସିନେ ନିର୍ମାତା ଅନୁରାଗ କଶ୍ୟପଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣି ମାମଲା ରୁଜୁ କଲେ ଅଭିନେତ୍ରୀ

ମୁମ୍ବାଇ: ନିକଟ ଅତୀତରେ ସିନେ ନିର୍ମାତା ଅନୁରାଗ କଶ୍ୟପଙ୍କ ନାମରେ ଅସଦାଚରଣ ଅଭ‌ିଯୋଗ ଆଣିଥିବା ଅଭିନେତ୍ରୀ ଏବେ ତାଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି। ଏହାବ୍ୟତୀତ ଅଭିନେତ୍ରୀ ତାଙ୍କୁ ଭୁଲ୍‌ ଭାବେ ଅଟକ ରଖିବା, ଷଡ଼ଯନ୍ତ୍ର କରିବା ଏବଂ ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିବା ଅଭିଯୋଗରେ ମଧ୍ୟ ମାମଲା ରୁଜୁ କରିଛନ୍ତି।

ଅଭିନେତ୍ରୀଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆଇପିସିର ଧାରା ୩୭୬, ୩୫୪, ୩୪୧,୩୪୨ ଅଧୀନରେ ନିର୍ମାତାଙ୍କ ନାମରେ ଅଭିଯୋଗ ହୋଇଛି। ଆଇପିସିର ଧାରା ଅନୁଯାୟୀ ମାମଲା ରୁଜୁ ହେବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଉଛି।

ଅନୁରାଗ କାଶ୍ୟପ ପୂର୍ବରୁ ତାଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ମାମଲାକୁ ଅସ୍ବୀକାର କରିଥିଲେ। ସେ ଟ୍ବିଟ୍‌ କରି ତାଙ୍କ ବିରୋଧରେ ଅସିଥିବା ଅଭିଯୋଗ ମିଛ ବୋଲି କହିଥିଲେ। ପରେ, ତାଙ୍କ ଓକିଲ ପ୍ରିୟଙ୍କା ଖୀମାନିଙ୍କ ମାଧ୍ୟମରେ ଜାରି ଏକ ବିବୃତ୍ତିରେ କାଶ୍ୟପ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ‘ମିଥ୍ୟା, ମନଗଢ଼ା ଏବଂ ଅସାଧୁ’ ବୋଲି କହିଥିଲେ।

India Today

ଏହି ବିବୃତ୍ତିରେ ଲେଖାଥିଲା, “ମୋର କ୍ଲାଇଣ୍ଟ୍‌ ଅନୁରାଗ କାଶ୍ୟପ ତାଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣର ମିଥ୍ୟା ଅଭିଯୋଗ ଦ୍ୱାରା ଗଭୀର ଯନ୍ତ୍ରଣା ଅନୁଭବ କରିଛନ୍ତି। ଏହି ଦାବିଗୁଡିକ ସମ୍ପୂର୍ଣ୍ଣ ମିଥ୍ୟା, ମନଗଢ଼ା ଏବଂ ଅସାଧୁ।’ ଏହାକୁ ଟ୍ବିଟର୍‌ରେ ସେୟାର କରି ଅନୁରାମ କଶ୍ୟପ ଲେଖିଥିଲେ, ‘ଏଠାରେ ପତ୍ରରେ ମୋ ତରଫରୁ ମୋ ଓକିଲ ଲେଖିଛନ୍ତି, ଧନ୍ୟବାଦ।’

ଉଲ୍ଲେଖଯୋଗ୍ୟ, ଅନୁରାଗଙ୍କ ବିରୋଧରେ ମିଠୁ ଅଭିଯୋଗ ଆସିବା ପରେ ବହୁ ବଲିଉଡ୍‌ ଷ୍ଟାର ତାଙ୍କ ସପକ୍ଷରେ ବାହାରି ବିରୋଧ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି। ତାପସୀ ପନ୍ନୁ, ସାୟାମି ଖେର, ରାମ ଗୋପାଳ ବର୍ମା ଏବଂ ଅନୁଭା ସିହ୍ନା ଠାରୁ ଅନୁରାଗ କାଶ୍ୟପଙ୍କ ପୂର୍ବତନ ପତ୍ନୀ କାଲ୍କି କୋଚଲିନ୍ ଏବଂ ଆରତୀ ବଜାଜ ସମସ୍ତେ ଫିଲ୍ମ ନିର୍ମାତାଙ୍କ ନିର୍ଦ୍ଦୋଷତା ପାଇଁ ସ୍ୱର ଉତ୍ତୋଳନ କରିଥିଲେ।

ସମ୍ବନ୍ଧିତ ଖବର