ସମାଜସେବୀଙ୍କ ସମେତ ଦୁଇ ମହିଳାଙ୍କୁ ଆକ୍ରମଣ, ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର : ଏୟାରଫିଲଡ୍‌ ଥାନା ଅଧୀନ ଅନନ୍ତ ନଗରଠାରେ ପ୍ରଦୀପ ସେବା ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଦୀପ ପୃଷ୍ଟି ଓ ଦୁଇ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ସଞ୍ଜୟ ଭଞ୍ଜ(୨୨) ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଆକ୍ରମଣ ହୋଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି। ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଗିରଫ କରାଯାଇ ପାରିନି।

ପୁଲିସ ସୂଚନା ଅନୁଯାୟୀ ଅନନ୍ତ ନଗରରେ ରହୁଥିବା ଟ୍ରଷ୍ଟର ଅନ୍ୟତମ ସଭ୍ୟା ଋତୁରାଣୀ ଏକ କାମରେ ଯାଇଥିବା ବେଳେ ଆଜି ହଠାତ୍‌ ଭାଲୁ ଭଞ୍ଜ ଏକ ଶାବଳରେ ପ୍ରଦୀପର ମୁଣ୍ଡକୁ ଆକ୍ରମଣ କରିଥିଲା। ଏହି ସମୟରେ ସେଠାରେ ଥିବା ଅନ୍ୟ ଦୁଇ ମହିଳା ଲତା ଦେଇ ଓ ମିନତି ଦେଇ ଏହାର ପ୍ରତିବାଦ କରିବାରୁ ଭାଲୁ ଉଭୟଙ୍କୁ ବି ଆକ୍ରମଣ କରିଥିଲା। ଏପରିକି ଭାଲୁ, ତାଙ୍କ ଭାଇ ସଞ୍ଜୟ ଓ ପରିବାରର ଅନ୍ୟ ସଦସ୍ୟମାନ ମଧ୍ୟ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭାଲୁଙ୍କ ପରିବାରର ସଦସ୍ୟଙ୍କୁ ଥାନାକୁ ନେଇଥିଲା। ହେଲେ ପୁଲିସ କାହାରିକୁ ଗିରଫ ନକରି ଛାଡ଼ି ଦେଇଛି ବୋଲି ପ୍ରଦୀପ କହିଛନ୍ତି। ଭାଲୁ ନାମରେ ଏକାଧିକ ମାମଲା ରହିଥିବା ବେଳେ ଅନେକ ଥର ଜେଲ୍‌ ଯାଇଥିବା ଜଣାପଡ଼ିଛି। ତେବେ ପୁଲିସ ଭାଲୁକୁ ଖସାଇ ଦେବା ସହିତ ତା’ ଭାଇକୁ ଗିରଫ କରି ଅନ୍ୟମାନଙ୍କୁ ଛାଡ଼ି ଦେଇଛି ବୋଲି ପ୍ରଦୀପ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୁଲିସ କହିବା ଅନୁଯାୟୀ ଏକ ସରକାରୀ ଜମିକୁ ଦଖଲ ନେଇ ସେଠାରେ ପାଟିତୁଣ୍ଡ ଚାଲିଥିବା ବେଳେ ପ୍ରଦୀପ ସେଠାକୁ ଯାଇଥିଲେ। ପୂର୍ବ ଶତ୍ରୁତାରୁ ଭାଲୁ ଓ ତାଙ୍କ ପରିବାର ସଦସ୍ୟ ଆକ୍ରମଣ କରିଥିଲେ। ତେବେ ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରା ନଗଲେ ପୁଲିସ କମିସନରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ପ୍ରଦୀପ କହିଛନ୍ତି।

ସମ୍ବନ୍ଧିତ ଖବର