ଟଙ୍କା ବ୍ୟାଗ୍‌ ଝାମ୍ପି ନେବା ବେଳେ ଧରାପଡ଼ିଲା ଲୁଟେରା

ଖଣ୍ଡଗିରି: ଶନିବାର ଅପରାହ୍ଣରେ ତମାଣ୍ଡୋ ବଜାରରୁ ଲୋକ ଏକ କୁଖ୍ୟାତ ଲୁଟେରାକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି। ଜଣେ ବୟସ୍କ ଲୋକଙ୍କ ହାତରୁ ଟଙ୍କା ବ୍ୟାଗ୍‌ ଛଡ଼ାଇ ନେବାକୁ ଉଦ୍ୟମ କଲା ବେଳେ ଲୋକଙ୍କ ହାତରେ ଲୁଟେରାଜଣଙ୍କ ଧରାପଡ଼ିଛି ଓ ତମାଣ୍ଡୋ ଥାନା ପୁଲିସ ତାକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରୁ ଖସି ପଳାଇଥିବା ଅନ୍ୟ ଜଣେ ଲୁଟେରାକୁ ପୁଲିସ ଧରିବାକୁ ପୁଲିସ ଖୋଜୁଥିବା ସୂଚନା ଦେଇଛି।

ସୂଚନାନୁସାରେ, ତମାଣ୍ଡୋ ଟାଙ୍ଗୀସାହିରେ ରହୁଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଅଗାଧୁ ନାୟକ ଆଜି ଅପରାହ୍ଣ ପ୍ରାୟ ୧ଟା ବେଳେ ପାତ୍ରପଡ଼ା ଏସ୍‌ବିଆଇ ଶାଖାରୁ ୪୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ। ତାଙ୍କୁ ଲୁଟେରାଦ୍ବୟ ପିଛା କରି ତମାଣ୍ଡୋ ବଜାର ପର୍ଯ୍ୟନ୍ତ ଆସିବା ପରେ ମଉକା ମିଳିଥିଲା। ବଜାର ପାର୍ ହେବା ପରେ ପରେ ଜଗନ୍ନାଥ ମନ୍ଦିର ନିକଟରେ ବାଇକ୍‌ରେ ଆସିଥିବ‌ା ଲୁଟେରାଦ୍ବୟ ତାଙ୍କୁ ଅଟକାଇ ତାଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଛଡ଼ାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏତିକିବେଳେ ତମାଣ୍ଡୋ ଗାଁର କିଛି ଯୁବକ ସେଠାରେ ପହଞ୍ଚି ଯାଇଥିଲେ ଓ ଲୁଟେରାଦ୍ବୟଙ୍କୁ କାବୁ କରିବାକୁ ଘେରି ଯାଇଥିଲେ। ମାତ୍ର ବାଇକ୍ ଚଳାଉଥିବା ଲୁଟେରାଟି ଖସି ପଳାଇଥିଲା। ଅନ୍ୟ ଜଣଙ୍କୁ ବହେ ଛେଚିବା ପରେ ଲୋକେ ତାକୁ ତମାଣ୍ଡୋ ଥାନା ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର