କୁଖ୍ୟାତ ବାଞ୍ଛା ଗିରଫ

ଭୁବନେଶ୍ୱର: ଲୁଟ୍‌ପାଟ କରି ବାପୁଜୀନଗର, ଅଶୋକନଗର, ଫାଳିକିଆବଜାର ଆଦି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା କୁଖ୍ୟାତ ବାଞ୍ଛାକୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ ଏସି, ଲାପଟପ୍‌ ଓ ମୋବାଇଲ୍‌ ଫୋନ୍‌ ଜବତ କରିଛି। ତାର ପୂରା ନାମ ବିଶ୍ୱଜିତ ନାୟକ ଓରଫ ବାଞ୍ଛା(୨୩)। ଘର କେଦାରପଲ୍ଲୀ ଅଞ୍ଚଳରେ। ସୂଚନା ମୁତାବକ, ଗତ ୧ ତାରିଖ ରାତିରେ ବାଞ୍ଛା ବାପୁଜୀନଗର ସ୍ଥିତ ରୋଜାଲିନ୍‌ ପରିଡ଼ାଙ୍କ ବିୟୁଟି ପାର୍ଲର ଭାଙ୍ଗି ଏସି, ଲାପଟପ ନେଇଯାଇଥିଲା। ଏନେଇ ରୋଜାଲିନ୍‌ ଥାନାରେ ଅଭିଯୋଗ କରିିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଗୁରୁବାର ରାତିରେ ବାଞ୍ଛା ବାପୁଜୀନଗରସ୍ଥିତ ଦୋକାନରୁ ଲୁଟ୍‌ ପାଇଁ ଉଦ୍ୟମ କରୁଥିବା ବେଳେ ପିସିଆର ଭ୍ୟାନ୍‌ ନଜରରେ ପଡ଼ିଥିଲା। ପିସିଆର ଭ୍ୟାନ୍‌ ଦେଖି ବାଞ୍ଛା ଘଟଣାସ୍ଥଳରୁ ଫେରାର ପାଇଁ ଉଦ୍ୟମ କରିଥିଲା। ତେବେ ପୁଲିସ ତାକୁ କାବୁ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଚୋରି ବିଷୟରେ ମାନିଥିଲା। ତା’ଠାରୁ ସମସ୍ତ ଜିନିଷ ଜବତ ପରେ ଆଜି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର