ଗାଡ଼ିରୁ ନ ବାହାରିଲେ ତୁମ ପୋଷାକ ଚିରି ଦେବି ବୋଲି ମହିଳାଙ୍କୁ ଧମକ ଦେଲେ ଉବର ଚାଳକ, ତା’ ପରେ ଘଟିଲା ଏଭଳି ଘଟଣା

ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ଜଣେ ମହିଳା ଉବର ଚାଳକଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିବା ଜଣାପଡ଼ିଛି । ମହିଳାଜଣଙ୍କ ନିଜ ସହକର୍ମୀଙ୍କ ସହ ରାତ୍ରି ଭୋଜନ ସାରି ଫେରୁଥିବା ବେଳେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା । ଚାଳକ ଜଣଙ୍କ, ଗାଡ଼ିରୁ ବାହାରି ଯାଅ ନହେଲେ ତୁମ ପୋଷାକ ଚିରି ଦେବି ବୋଲି କହି ଧମକ ଦେଇଥିଲେ । ଏବେ ପୀଡ଼ିତା ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରି ଜଣାଇବା ପରେ ଖବରଟି ସାମ୍ନାକୁ ଆସିଛି ।

ପୀଡ଼ିତା ଅପର୍ଣ୍ଣା କରିଥିବା ପୋଷ୍ଟ ଅନୁଯାୟୀ, ମୁଁ ମୋ ସହକର୍ମୀଙ୍କ ସହ ରାତ୍ରି ଭୋଜନ ସାରି ଘରକୁ ଫେରିବା ପାଇଁ ଏକ ଉବର କ୍ୟାବ୍‌ ବୁକ୍‌ କରିଥିଲି । କ୍ୟାବ୍‌ରେ ବସିବା ପରେ ଚାଳକଜଣଙ୍କ ନିଜ ବନ୍ଧୁ ସହ କଥା ହେଉଥିଲେ । ହଠାତ୍‌ ସେ ମୋ ଆଡ଼କୁ ଦେଖି, ଜଣେ ଶିକ୍ଷିତ ମହିଳା ହିସାବରେ ସଂନ୍ଧ୍ୟା ୭ଟାରେ ଅଫିସରୁ ବାହାରିବା ଦରକାର । ଏମିତି ସାଙ୍ଗମାନଙ୍କ ସହ ମଦ ପିଇବା କଥା ନୁହେଁ ବୋଲି କହିଥିଲେ । ଏହା ପରେ, ମୁଁ ପିଇ ନାହିଁ । ଆପଣ ଆପଣଙ୍କ କାମ କରନ୍ତୁ ବୋଲି ମୁଁ ତାଙ୍କୁ କହିଥିଲି । ମୋ କଥା ଶୁଣି ସେ ନିଜ ସାଙ୍ଗ ସହ କଥା ହେବା ସହ ମୋତେ ନେଇ ଅପଶବ୍ଦ ବ୍ୟବହାର କରିଥିଲେ । କିଛି ବାଟ ଯିବା ପରେ ସେ କ୍ୟାବ୍‌ର ଗତି କମାଇ ଦେବା ଦେଖି ମୁଁ ଡ଼ରି ଯାଇଥିଲି । ଡ଼ରରେ ମୁଁ ଉବରର ସେଫ୍‌ଟି ବଟନ ଦବାଇବା ପରେ ଉବରର କଷ୍ଟମର କେୟାରଙ୍କ ଫୋନ ଆସିଥିଲା । କିନ୍ତୁ ସେ ମୋତେ ଫୋନ କରିବା ପରିବର୍ତ୍ତେ ଚାଳକକୁ ଫୋନ କରିଥିଲେ । ଯାହା ପରେ ଚାଳକଜଣଙ୍କ ମୁଁ ନିଶାଗ୍ରସ୍ତ ଥିବା କହି ଫୋନ କାଟି ଦେଇଥିଲେ ।

ଏହା ଦେଖି ମୁଁ ପୁଣି କଷ୍ଟମର କେୟାରଙ୍କୁ ଫୋନ କରି ପୂରା ଘଟଣା ଜଣାଇଲି । ଯାହା ପରେ ସେ ମୋତେ କ୍ୟାବ୍‌ରୁ ବାହାରିଯାଅ । ଆମେ ଆପଣଙ୍କ ପାଇଁ ଆଉ ଏକ କ୍ୟାବ୍‌ ବୁକ୍‌ କରିଦେବୁ ବୋଲି କହିଥିଲେ । ଏହା ଶୁଣି ଚାଳକଜଣଙ୍କ ଗାଡ଼ି ରଖି ମୋତେ, ତୁରନ୍ତ ବାହାରିଯାଅ । ଟିକେ ବିଳମ୍ବ ହେଲେ ମୁଁ ତୁମ ପୋଷାକ ଚିରି ଦେବି ବୋଲି କହି ଧମକ ଦେଇଥିଲେ । ଡ଼ରରେ ମୁଁ କ୍ୟାବ୍‌ରୁ ବାହାରି ରାସ୍ତା କଡ଼ରେ ଠିଆ ହୋଇଥିଲି । ସମୟ ପରେ ସମୟ ଗଡ଼ିଥିଲେ ମଧ୍ୟ କଷ୍ଟମର କେୟାରଙ୍କ ଫୋନ ଆସି ନ ଥିଲା କି କ୍ୟାବ୍‌ ମଧ୍ୟ ଆସି ନଥିଲା । ଯାହା ପରେ ମୁଁ ବାଧ୍ୟ ହୋଇ ମୋର ଜଣେ ବନ୍ଧୁଙ୍କୁ ଫୋନ କରି ମୋତେ ନେବା ପାଇଁ କହିଥିଲି । ମୁଁ ଘରେ ପହଞ୍ଚିଥିଲି ସତ କିନ୍ତୁ ଉବର ପକ୍ଷରୁ କୌଣସି ଫୋନ କଲ ଆସି ନଥିଲା ବୋଲି ଲେଖିଛନ୍ତି ଅପର୍ଣ୍ଣା । ଏହା ସହ ଉବରରେ ଯାତ୍ରା କରିବା ସୁରକ୍ଷିତ ନୁହେଁ ବୋଲି ସେ ସମସ୍ତଙ୍କୁ ସଚେତନ କରାଇଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର