ବରମୁଣ୍ଡା ବସ‌୍‌ଷ୍ଟାଣ୍ଡରୁ ୨୨ଗ୍ରାମ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ସେହିପରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଛ ବସ୍ତିରୁ ୭ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ବର : କ୍ରାଇମ୍‌ ବ୍ରାଞ୍ଚର ଏସ୍‌ଟିଏଫ୍ ଆଜି ଖଣ୍ଡଗିରି ଥାନା ଅଧୀନ ବରମୁଣ୍ଡା ବସ‌୍‌ଷ୍ଟାଣ୍ଡରେ ଚଢ଼ଉ କରି ଜଣେ ଯୁବକକୁ ଗିରଫ କରିବା ସହିତ ତା ନିକଟରୁ ୨୨ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ଯାହାର ବଜାର ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ହେବ। ଗିରଫ ହୋଇଥିବା ଯୁବକର ନାଁ ସେକ୍ ମୁସ୍ତାକିନ୍। ଘର ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଧୀନ ଅରଡ଼ ବଜାର ଗଳପୋଲାରେ। ଗିରଫ ପରେ ଆଜି ତାକୁ କୋର୍ଟ ଚାଲାଣ କରିଛି ଏସଟିଏଫ୍।

ଏସଟିଏଫଠାରୁ ଯାହା ସୂଚନା ମିଳିଛି, ମୁସ୍ତାକିନ୍‌ ବାଲେଶ୍ବରରୁ ବିଭିନ୍ନ ସମୟରେ ବ୍ରାଉନ୍‌ସୁଗାର ନେଇ ଭୁବନେଶ୍ବର ଆସିଥାଏ। ଏଠାରେ ସେ କେତେକ ଖୁଚୁରା ବ୍ୟବସାୟୀଙ୍କୁ ବ୍ରାଉନ୍‌ସୁଗାର ଯୋଗାଇଥାଏ। ଏହି ସୂଚନା କ୍ରାଇମ ବ୍ରା‌ଞ୍ଚକୁ ମିଳିଥିଲା। ଆଜି ମୁସ୍ତାକିନ ବସ୍ ଯୋଗେ ବ୍ରାଉନ୍‌ସୁଗାର ଧରି ଆସୁଥିବା ବେଳେ ଆଗୁଆ ଖବର ପାଇ ଏସଟିଏଫ୍ ଅଧିକାରୀମାନେ ତାକୁ ଧରିବା ପାଇଁ ବରମୁଣ୍ଡା‌ରେ ଅପେକ୍ଷା କରିଥିଲେ। ସେ ବସ୍‌ରୁ ଓହ୍ଲାଇବା କ୍ଷଣି ତାକୁ କାବୁ କରି ନେଇଥିଲେ।

ପ୍ରକାଶଥାଉକି, ତିନି ସପ୍ତାହ ମଧ୍ୟରେ ଏସଟିଏଫ ସାରା ରାଜ୍ୟରେ ଚଢ଼ଉ କରିଛି। ଏହି ସମୟରେ ବାଲେଶ୍ବର, ଅନୁଗୁଳ, ଖୋର୍ଧା, ପିପିଲି, ଢ଼େଙ୍କାନାଳ, ଭୁବନେଶ୍ବର ଓ ଭ୍ରଦକରୁ ୨୦ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରାଯାଇ ପାରିଛି। ସେମାନଙ୍କ ନିକଟରୁ ମୋଟ୍‌ ୮୪୦ ଗ୍ରାମର ବ୍ରାଉନ୍‌ସୁଗାର, କାର୍‌, ୮ଟି ବାଇକ୍‌, ୧୩ ଲକ୍ଷ ୨୧ ହଜାର ଟଙ୍କା ଆଦି ଜବତ ହୋଇଛି।

କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଛ ବସ୍ତିରୁ ୭ ଗ୍ରାମ୍‌
ଭୁବନେଶ୍ବର : କ୍ୟାପିଟାଲ ଥାନା ପୁଲିସ ଆଜି ୭ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରିଛି। ଏହି ନିଶାଦ୍ରବ୍ୟ ବିକ୍ରି ଅଭିଯୋଗରେ କ୍ୟାପିଟାଲ ହସ୍ପିଟାଲ ପଛ ବସ୍ତିରେ ରହୁଥିବା ଚିତ୍ତରଞ୍ଜନ ଦଳେଇକୁ ଗିରଫ କରିଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୭୦ହଜାର ଟଙ୍କା ହେବ ବୋଲି ପୁଲିସ ଅନୁମାନ କରୁଛି। ଦୀର୍ଘ ଦିନ ଧରି ଚିତ୍ତ ଏହି ବେପାର କରି ଆସୁଥିଲା। ଭୁବନେଶ୍ବରର ଅନ୍ୟ ଖୁଚୁରା ବେପାରୀଙ୍କଠାରୁ ଏହି ନିଷିଦ୍ଧ ନିଶାଦ୍ରବ୍ୟ ଆଣି ସେ ବେପାର କରୁଥିବା ସ୍ବୀକାର କରିଛି। ତେବେ ସେ କାହାଠାରୁ ଏହି ନିଶାଦ୍ରବ୍ୟ ଆଣୁଥିଲା, ତାହା ଜାଣିବା ପାଇଁ ତଦନ୍ତ ଚାଲିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର