ପୁଣି ଅଗ୍ନି ଗିରଫ

ଖଣ୍ଡଗିରି : ପୁଣି ଗିରଫ ହେଲା କୁଖ୍ୟାତ୍‌ ଅଗ୍ନି ଷଡ଼ଙ୍ଗୀ। ସେ ହେଉଛି ସ୍ଥାନୀୟ ସରକନ୍ତରା ଗାଁର ଦୁର୍ଦାନ୍ତ ଅପରାଧୀ ଆକାଶ ଷଡ଼ଙ୍ଗୀର ସାନ ଭାଇ। ଏକ ୱାରେଣ୍ଟ ବଳରେ ସୋମବାର ଖଣ୍ଡଗିରି ଥାନା ପୁଲିସ ଅଗ୍ନିକୁ ଗିରଫ କରି କୋର୍ଟ ଚାଲାଣ କରିଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଶନିବାର ଖଣ୍ଡଗିରି ଥାନା ପୁଲିସ ଆକାଶ ଓ ତା ଗ୍ୟାଙ୍ଗ୍‌କୁ ଗିରଫ କରି ଜେଲ୍‌ ହାଜତକୁ ପଠାଇଥିଲା। ଖୋର୍ଧା ଦଳେଇପୁଟ ପାହାଡ଼ ଆଡ଼ାରୁ ପୁଲିସ ଏହି ଗ୍ୟାଙ୍ଗ୍‌କୁ ଗିରଫ କରିଥିଲା। ତେଣୁ ଏବେ ଅଗ୍ନି ଜେଲ୍‌ ଯିବା ପରେ ସମୁଦାୟ ଆକାଶ ଗ୍ୟାଙ୍ଗ୍‌(ଆକାଶ, ଅଗ୍ନି, ଦୁଇ ବଳିଆ ଓ ସେମାନଙ୍କ ମୁଖ୍ୟ ସହଯୋଗୀ ଦୁର୍ଦାନ୍ତ ବାପି) ପୁଲିସ କବ୍‌ଜାରେ। ଉଭୟ ଆକାଶ ଓ ଅଗ୍ନି ବିରୋଧରେ ପୁଲିସ ୧୧୦ ଧାରା ବଳରେ ମାମଲା ରୁଜୁ କରିଛି। ସୂଚନାନୁସାରେ ଅକ୍ଟୋବର ୩ ତାରିଖରେ ଅଗ୍ନିକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଥିଲା। କିଛି ଦିନ ଜେଲ୍‌ରେ ରହିବା ପରେ ତାକୁ ସର୍ତ୍ତମୂଳକ ଜାମିନ୍‌ ମିଳିଥିଲା ଓ ନିୟମିତ ବ୍ୟବଧାନରେ ଥାନାରେ ହାଜର ହେବାକୁ ମାନ୍ୟବର ଅଦାଲତଙ୍କ ନିର୍ଦେଶ ଥିଲା। ମାତ୍ର ଜେଲ୍‌ରୁ ଆସିବା ପରେ ଅଗ୍ନି ପୁଣି ଗାଏବ୍‌ ହୋଇ ଯାଇଥିଲା। ତେଣୁ ତା ନାଁରେ ୱାରେଣ୍ଟ ଜାରି ହୋଇଥିଲା।

ସମ୍ବନ୍ଧିତ ଖବର