ଯୁବକଙ୍କ ଆତଙ୍କରାଜ : ନୀଳାଦ୍ରିବିହାର ଛକରେ ବୁଲିଲା ଭୁଜାଲି

ଚନ୍ଦ୍ରଶେଖରପୁର : ଦିନ ଦିପହରେ ନୀଳାଦ୍ରିବିହାର ଛକରେ ଭୁଜାଲି ବୁଲାଇ ଆତଙ୍କ ସୃଷ୍ଟି କରି ଚାଲିଥିଲେ ଯୁବକ। କାହାକୁ ଖାତିର ନ କରି ରାଜରାସ୍ତାରେ ଖେଳାଇଥିଲେ ଆତଙ୍କ। ଜଣେ ବ୍ୟବସାୟୀଙ୍କୁ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ହାତରେ ଭୁଜାଲି ଧରି ସ୍ଥାନୀୟ ଲୋକଙ୍କୁ ଧମକାଉଥି‌ଲେ। ନୀଳାଦ୍ରିବିହାର ଛକରେ ଆଜି ଜଣେ ଯୁବକଙ୍କ ଏଭଳି କାରନାମାକୁ ନେଇ ସାଧାରଣ ଲୋକଙ୍କୁ ବି ନାକେଦମ୍ ହେବାକୁ ପଡ଼ିଥିଲା। ଦିନ ପ୍ରାୟ ୨ଟା ବେଳେ ୧୦ ମିନିଟ୍‌ରୁ ଅଧିକ ସମୟ ଧରି ଏପରି ଗୁଣ୍ଡାଗିରି କରିଚାଲିଥିଲେ ଯୁବକ। ସାଙ୍ଗରେ ଆଣିଥିବା ଅନ୍ୟ ଜଣେ ଯୁବକଙ୍କୁ ଦେଖାଇ ତା’ ବିରୋଧରେ କେହି ବାହାରିଲେ ତାକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଯୁବକଜଣଙ୍କ ନୂଆ ଗାଁ ଲେଖାଥିବା ଏକ ଟି-ସାର୍ଟ ପିନ୍ଧିଥିବା ବେଳେ ଏକ ଭଡ଼ା କାର୍‌ରେ ଘଟଣାସ୍ଥଳକୁ ଆସିଥିଲେ। ଏପରି ଆତଙ୍କ ଦେଖି ସ୍ଥାନୀୟ ଲୋକ ସେଠାରୁ ପଳାଇଥିଲେ। ପରେ ଯୁବକଜଣଙ୍କ ଆଖପାଖର ବ୍ୟବସାୟୀମାନଙ୍କୁ ଧମକ ଦେଇ ଜ‌ଣେ ଯୁବକଙ୍କୁ ଖୋଜିବା ପାଇଁ ଚେଷ୍ଟା କରିଥିଲା। ଏହା ଦେଖି ସ୍ଥାନୀୟ ଲୋକ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଯୁବକଜଣଙ୍କ ସେଠାରୁ ପଳାଇଥିଲେ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଉକ୍ତ ଯୁବକଜଣଙ୍କ ରାଜଧାନୀ ଉପକଣ୍ଠ କୌଣସି ଏକ ଗ୍ରାମର। ସେହି ଛକରେ ତା’ର ଜଣେ ବନ୍ଧୁଙ୍କୁ ସହ କେହି ବଚସା କରିଥିଲା। ଫଳରେ ସେ ଭୁଜାଲି ଧରି ଛକରେ ବ୍ୟବସାୟୀମାନଙ୍କୁ ଭୟଭୀତ କରାଇବା ପାଇଁ ଆସିଥିଲା। ଅଭିଯୁକ୍ତକୁ ଧରିବା ଲାଗି ପୁଲିସ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧିତ ଖବର