ଅଢ଼େଇ ବର୍ଷ ଧରି ଡିଡିଏର ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା, ଭିଡିଓ ଉତ୍ତୋଳନ କରି ବ୍ଲାକ୍‌ ମେଲିଂ ଅଭଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ଉନ୍ନୟନ ପ୍ରାଧିକରଣ( ଡିଡିଏ)ରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ତାଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସହିତ ୪ ଜଣ ସହକର୍ମୀ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହି ଅଧିକାରୀମାନେ ଗତ ଅଢ଼େଇ ବର୍ଷ ଧରି ତାଙ୍କର ଯୌନ ଶୋଷଣ କରିବା ପରେ ଏହି ସମୟର ଭିଡିଓ ଉତ୍ତୋଳନ କରି ତାଙ୍କୁ ବ୍ଲାକ ମେଲିଂ କରି ଆସିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏପରିକି ଏହି ୪ ଜଣ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଉଥିବା ନେଇ ମଧ୍ୟ ଯୁବତୀଜଣକ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ଯୁବତୀଜଣକ ବରିଷ୍ଠ ଅଧିକାରୀଙ୍କୁ ଭେଟି ତାଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି।
ଦିଲ୍ଲୀ ଡିସିପି ( ଦକ୍ଷିଣ) ରୋମ୍‌ଲି ବାନିୟାଙ୍କ ଠାରୁ ପ୍ରକାଶ ଯେ, ଯୁବତୀଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କୁ ୨୦୧୪ ମସିହାରେ ଅନୁକମ୍ପା ସ୍କିମ୍‌ରେ ଡିଡିଏରେ ଚାକିରି ମିଳିଥିଲା।ତେବେ ତାଙ୍କୁ ଡିଡିଏର କେତେକ କର୍ମଚାରୀ ଯୌନ ନିର୍ଯାତନା ଦେଇଥିବା ଯୁବତୀଜଣକ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଅଭିଯୋଗ ମିଳିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ବୋଲି ବାନିୟା କହିଛନ୍ତି।
ସେହିପରି ଡିଡିଏ କର୍ତ୍ତୃପକ୍ଷ କହିଛନ୍ତି ଯେ ଯୁବତୀ ଜଣକ କର୍ତ୍ତୃପକ୍ଷଙ୍କ ନକଟରେ ଯୌନ ନିର୍ଯାତନା ନେଇ ଅଭିଯୋଗ କରିଛନ୍ତି। ଏ ନେଇ ଏକ ଅଭ୍ୟନ୍ତରୀଣ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ତଦନ୍ତ ରିପୋର୍ଟ ଆଧାରରେ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର