ବନ୍ଦ ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ

ଖଣ୍ଡଗିରି: ସ୍ଥାନୀୟ ଘାଟିକିଆ ନାକାଗେଟ୍‌ ନିକଟ ଏକ ଭଡ଼ା ଘର ଭିତରୁ ଗୁରୁବାର ଖଣ୍ଡଗିରି ଥାନା ପୁଲିସ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତା ମହିଳା ହେଲେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଗୋପାଳପୁରର ସୁକାନ୍ତ ବେହେରାଙ୍କ ଝିଅ ସୁପ୍ରଭା ବେହେରା(୨୪)। ପୁଲିସ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଓ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ପୁଲିସ ସୂଚନାନୁସାରେ, ଭଦ୍ରକ ଜିଲ୍ଲା ଖଡ଼ିପଦା ଗାଁର ଗଣେଶ ଓ ସୁପ୍ରଭା ପରସ୍ପରକୁ ଭଲ ପାଇ ୨ବର୍ଷ ପୂର୍ବେ ବିବାହ କରିଥିଲେ। ଏକ ଘରୋଇ କମ୍ପାନିରେ କାମ କରୁଥିବା ଗଣେଶ ସୁପ୍ରଭା ସହିତ ନାକାଗେଟ୍‌ ନିକଟ ଉକ୍ତ ଭଡ଼ା ଘରେ ରହୁଥିଲେ। ଗତ ୨୦ ତାରିଖ ଦିନ ଗଣେଶ କୌଣସି କାମରେ ଗାଁକୁ ଯାଇଥିଲେ ଓ ୨୨ ତାରିଖରୁ ତାଲା ବନ୍ଦ ଲାଗୁ ହେବା କାରଣରୁ ଆଉ ଭୁବନେଶ୍ବର ଫେରି ପାରିନଥିଲେ। ଗତକାଲି ସନ୍ଧ୍ୟାରୁ ସୁପ୍ରଭା ଘରୁ ବାହାରକୁ ବାହରିନଥିଲେ ଓ ସକାଳେ ବହୁ ସମୟ ପର୍ଯ୍ୟନ୍ତ ସେ କବାଟ ନ ଖୋଲିବାରୁ ପଡ଼ୋଶୀମାନେ ସନ୍ଦେହ କରି ଝରକା ବାଟେ ଘର ଭିତରକୁ ଦେଖିଥିଲେ। ଚୁନ୍‌ରିରେ ବେକ ଓ ଫ୍ୟାନ୍‌କୁ ବାନ୍ଧି ସେ ଝୁଲି ପଡ଼ିଥିଲେ। ଭିତରୁ କବାଟ ବନ୍ଦ ଥିବାରୁ ପୁଲିସ ଝଳେଇ ମେସିନ୍‌ରେ କବାଟ କାଟିଥିଲା ଓ ମୃତଦେହକୁ ଜବତ କରିଥିଲା। ଏହା ଏକ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଥିଲେ ବି ଏହା ପଛର କାରଣ ଜାଣିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି। ଗଣେଶକୁ ଜେରା କରିବା ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ତଦନ୍ତ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର