ଠକେଇ ଅଭିଯୋଗ : ପୁଲିସ ଏଏସ୍‌ଆଇଙ୍କ ନାମରେ ମାମଲା ରୁଜୁ

ଭୁବନେଶ୍ବର : ଶେଷରେ ଏୟାରଫିଲ୍ଡ ଥାନାର ଜଣେ ଏଏସ୍‌ଆଇଙ୍କ ନାମରେ ମାମଲା ରୁଜୁ ହୋଇଛି। ଜଣେ ପୁଲିସ ଅଫିସର ହୋଇଥିବାରୁ ପୁଲିସ ମାମଲା ରୁଜୁ କରୁନଥିଲା। ଦୀର୍ଘ ଦିନ ଧରି ଅଭିଯୋଗକାରୀ ଦୌଡ଼ି ଦୌଡ଼ି ହତାଶ ହେବା ପରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଅଭିଯୁକ୍ତଙ୍କ ନାମରେ ତୁରନ୍ତ ମାମଲା ରୁଜୁ କରି ତଦନ୍ତ କରିବାକୁ କୋର୍ଟ ଆଦେଶ ଦେବା ପରେ ଏୟାରଫିଲ୍ଡ ଥାନା ପୁଲିସ ନିଜ ଥାନାର ଏଏସ୍‌ଆଇଙ୍କ ନାମରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ପୁଲିସ ଅଧିକାରୀ ହେଉଛନ୍ତି ନବଘନ ସାହୁ। ଦଫା ୪୨୦, ୫୦୬, ୨୯୪ ଓ ୩୪୧ ବଳରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ମୁତାବକ, ପଟିଆରେ ଏକ ଘର ତିଆରି କରିବା ପାଇଁ ସେ ଅନୁପ ରଥ ନାମକ ଠିକାଦାରଙ୍କୁ ଦାୟିତ୍ବ ଦେଇଥିଲେ। ୩ ମହଲା କୋଠା ତିଆରି କରିବା ପାଇଁ ସ୍ଥିର ହୋଇଥିଲା। ଗ୍ରାଉଣ୍ଡ ଫ୍ଲୋର ଛାତ ପଡ଼ିବା ବେଳେ ସେ ସମ୍ପୃକ୍ତ ଏଏସ୍‌ଆଇଙ୍କୁ ଟଙ୍କା ମାଗିଥିଲେ। ହେଲେ ସେ ଟଙ୍କା ନ ଦେଇ ବିଭିନ୍ନ କାରଣ ଦେଖାଇଥିଲେ। ଯେଉଁ ଅନୁସାରେ ତିଆରି କରିବାକୁ କୁହାଯାଇଥିଲା ସେହି ଅନୁସାରେ ତିଆରି ହୋଇ ନ ଥିବା ଅଭିଯୋଗ କରି ପଇସା ଦେଉ ନ ଥିଲେ। କାମ କରିବା ପାଇଁ ସମ୍ପୃକ୍ତ ଅଧିକାରୀ କୌଣସି ଲିଖିତ ଆଦେଶ ଦେଇ ନ ଥିଲେ। କିନ୍ତୁ ହ୍ବାଟ୍‌ସ୍‌ ଆପ୍‌ରେ କାମ କରିବା ନେଇ ଅନେକ ପ୍ରମାଣ ରହିଥିଲା। ଏହି ପ୍ରମାଣ ଆଧାରରେ ସେ ଏୟାରଫିଲ୍ଡ ଥାନାକୁ ଯାଇଥିଲେ। ସେଠ‌ାରେ ସେ ହତାଶ ହୋଇଥିଲେ। ଏଣୁ ବାଧ୍ୟ ହୋଇ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିଲେ। ଆବେଦନକୁ ଆଧାର କରି ଏସ୍‌ଡିଜେଏମ୍‌ ଏୟାରଫିଲ୍ଡ ଥାନାକୁ ମାମଲା ରୁଜୁ କରିବା ପାଇଁ ଆଦେଶ ଦେଇଥିଲେ। ଯେଉଁ ଘର ତିଆରି ହେଉଥିଲା ସେ ଘର ଅଭିଯୁକ୍ତ ଅଧିକାରୀଙ୍କ ନାମରେ ନାହିଁ। ତାହା ଜଣେ ମହିଳାଙ୍କ ନାମରେ ରହିଛି। ଜାଗାର ଦାମ୍‌ କୋଟିଏ ଟଙ୍କା ହେବା ସହ ଯେଉଁ ଘର ତିଆରି ହେଉଛି ତାହାର ବଜେଟ୍‌ ମଧ୍ୟ କୋଟିଏ ଟଙ୍କା ରହିଛି। ତଦନ୍ତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ଏହି ସମ୍ପତ୍ତି ବାବଦରେ ଜଣାପଡ଼ିବ। ତେବେ ଏ ନେଇ ଅଭିଯୁକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିବା ବେଳେ ଉପରିସ୍ଥ ଅଧିକାରୀ ମଧ୍ୟ କିଛି କହିବା ପାଇଁ ଚାହି ନାହାନ୍ତି।

ସମ୍ବନ୍ଧିତ ଖବର