ଗୋଟିଏ ମିସ୍‌କଲ ଓ ଚାକିରି ପ୍ରଲୋଭନ ଯୁବତୀଙ୍କ ଜୀବନ ନଷ୍ଟ କରିଦେଲା…

ବରେଲି: ଫୋନ୍‌ରେ ଗୋଟିଏ ମିସ୍‌ କଲ ଯୁବତୀଙ୍କ ଜୀବନ ନଷ୍ଟ କରି ଦେଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ତେବେ ଘଟଣାଟି ହେଉଛି ଏପରି, ଯୁବତୀଙ୍କ ପାଖକୁ ଏକ ମିସ୍‌ କଲ ଆସିଥିଲା। ସେ ସେହି ନମ୍ବରରେ କଲ କରିବାରୁ ତାଙ୍କୁ ଚାକିରି ଦିଅାଯିବ ବୋଲି କହି ୬ଜଣ ଯୁବକ ଡାକି ନେଇ ଗଣଦୁଷ୍କର୍ମ କରିଥିଲେ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଯୁବତୀଙ୍କ ଫୋନ୍‌କୁ ଏକ ମିସ୍‌ କଲ ଆସିଥିଲା। ଏହାପରେ ଯୁବତୀ ଏହି ମିସ୍‌କଲ୍‌ ଆସିଥିବା ନମ୍ବରରେ କଲ କରିଥିଲେ। ଫୋନ୍‌ରେ  ଯୁବତୀଙ୍କୁ ଶିକ୍ଷାଗତ ଯୋଗ୍ୟତା ପଚରାଯାଇଥିଲା। ଯୁବତୀ ପୂର୍ବରୁ ଚାକିରି ଖୋଜୁ ଥିବା ହେତୁ ନିଯୁକ୍ତିଦାତାଙ୍କ  ଫୋନ୍‌ କଲ ଆସିଛି ବୋଲି ଭାବିଥିଲେ। ଏହାପରେ ଯୁବତୀଙ୍କୁ ଫୋନ୍‌ କରିଥିବା ଯୁବକ ଚାକିରି ଦେବେ ବୋଲି କହି ନିକଟସ୍ଥ ସହର ଗଜରୋଲାକୁ ଡକାଇଥିଲେ। ଚାକିରି ଲୋଭରେ ଯୁବତୀ ଜଣକ ବି ଏହି ଦୁଷ୍କର୍ମକାରୀଙ୍କ ଜାଲରେ ଫସି ଯାଇଥିଲେ।

ଗଜରୋଲା ପହଞ୍ଚିବା ପରେ ଏକ ନିଛାଟିଆ ହଲରେ ଯୁବତୀଙ୍କୁ ବନ୍ଧକ ରଖି ୬ଜଣ ଯୁବକ ଜଣଙ୍କ ପରେ ଜଣେ  ଦୁଷ୍କର୍ମ କରିଚାଲିଥିଲେ। ଗୋଟିଏ ଦିନ ନୁହେଁ ଦୁଇଦିନ ଧରି ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏହାପରେ ପୀଡିତାଙ୍କୁ ରାସ୍ତାରେ ଫିଙ୍ଗି ଦେଇ ଦୁଷ୍କର୍ମକାରୀ ଫେରାର ହୋଇଯାଇଥିଲେ। ପେଟ୍ରୋଲିଂରେ ଆସିଥିବା ପୁଲିସ ପୀଡିତାଙ୍କୁ ରାସ୍ତାରେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଯୁବତୀଙ୍କ ସହିତ କଥା ହେବା ପରେ ପୁଲିସ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା। ଏହାପରେ ପୀଡିତାଙ୍କ ପରିଜନ ବହେଡି ଆଣି ଶୁକ୍ରବାର ଦୁଷ୍କର୍ମକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

ଏହି ଦୁଷ୍କର୍ମ ମାମଲାରେ ଜଡ଼ିତ ଦୁଇଜଣ ଦୁଷ୍କର୍ମକାରୀଙ୍କ ନାମ ଜଣାଥିବା ବେଳେ ଅନ୍ୟମାନଙ୍କ ନାମ ଜଣାପଡ଼ି ନାହିଁ। ଖୁବ୍‌ ଶୀଘ୍ର ସମସ୍ତ ଦୁଷ୍କର୍ମକାରୀକୁ ପୁଲିସ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର