ଅନର କିଲିଂ : ଝିଅର ପ୍ରେମିକକୁ ପିଟି ପିଟି ନିର୍ମମ ଭାବେ ହତ୍ୟା କଲେ ପରିବାର ଲୋକେ

ଚୁରୁ(ରାଜସ୍ଥାନ) : ରାଜସ୍ଥାନର ଚୁରୁ ଜିଲ୍ଲାରେ ଅନର କିଲିଂର ଏକ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମ କରିବାକୁ ପରିବାର ପସନ୍ଦ ନ କରିବା ସହ ପ୍ରେମିକକୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଜଘନ୍ୟ ଅପରାଧ କରିବା ପରେ ଅପରାଧୀମାନେ ଫେରାର ଥିବା ଜଣାପଡ଼ିଛି । ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ।

India.com

ସୂଚନା ମୁତାବକ, ଅନର କିଲିଂର ଏଭଳି ଦୁଃଖଦାୟକ ଘଟଣା ଚୁରୁର ସଦୁଲପୁର ଅଞ୍ଚଳର । ଯେଉଁଠି ସେଉଓ୍ଵା ଗ୍ରାମରେ ରହୁଥିବା ରଣବୀର ସେହି ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲେ । କିଛି ଦିନ ଠିକ୍‌ ଚାଲିଥିବା ବେଳେ ପରେ ଦୁହିଁଙ୍କ ପରିବାର ଲୋକେ ସବୁ ଜାଣି ପାରିଥିଲେ । ଝିଅର ପ୍ରେମ ସଂପର୍କ ବିଷୟରେ ଜାଣି ପରିବାର ଲୋକ ରାଗିଯିବା ସହ ରଣବୀରଙ୍କୁ ରାସ୍ତାରୁ ହଟାଇବାର ଯୋଜନା କରିଥିଲେ । ଶନିବାର ରାତିରେ ରଣବୀର ନିଜ ଘରର ବାରିରେ ଶୋଇଥିବା ବେଳେ ଯୁବତୀଙ୍କ ପରିବାର ଲୋକେ ଆସି ରଣବୀରଙ୍କୁ ଉଠାଇ ନିଜ ଘରକୁ ନେଇ ଯାଇଥିଲେ । ରଣବୀରଙ୍କ ପରିବାର ଲୋକେ ଅଟକାଇବାର ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଘରକୁ ନେଇ ଅଭିଯୁକ୍ତମାନେ ରଣବୀରଙ୍କୁ ମାଡ଼ ମାରିବା ସହ ତାଙ୍କ ଗୁପ୍ତାଙ୍ଗକୁ ମଧ୍ୟ ଆକ୍ରମଣ କରିଥିଲେ। ଗୁପ୍ତାଙ୍ଗରେ ଆଘାତ ଲାଗି ରକ୍ତସ୍ରାବ ହେବାରୁ ରଣବୀର ଘଟଣାସ୍ଥଳରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ସମ୍ବନ୍ଧିତ ଖବର