ପିଲାଙ୍କୁ ୫୦୦ ଥର ଉଠାବସା କରାଇ ପ୍ରଧାନ ଶିକ୍ଷୟିତ୍ରୀ ଗିରଫ
କୋହ୍ଲାପୁର: ସାତ ଜଣ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ୫୦୦ ଥର ଉଠାବସା କରାଇ ଥିବା କାରଣରୁ କୋହ୍ଲାପୁର ଜିଲ୍ଲାର ଏକ ସ୍କୁଲ୍ର ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଗୁରୁବାର ଦିନ ଗିରଫ କରାଯାଇଛି। ପିଲାଏ ହୋମ୍ଓ୍ଵାର୍କ କରି ନ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଦୀପାବଳି ଛୁଟି ସକାଶ କାନୁର ବୁଦ୍ରୁକ୍ ଗାଁରେ ଥିବା ଭବେଶ୍ୱରୀ ସନ୍ଦେଶ ବିଦ୍ୟାଳୟରେ ପିଲାମାନଙ୍କୁ ହୋମ୍ଓ୍ଵାର୍କ ପ୍ରୋଜେକ୍ଟ୍ ଦିଆ ଯାଇଥିଲା। ନଭେମ୍ବର ୨୪ ତାରିଖ ଦିନ ଶିକ୍ଷୟିତ୍ରୀ ଅଶ୍ୱିନୀ ଦେବାନ ଜଣେ ଝିଅ ସହ ଅନ୍ୟ ୬ ଜଣ ହୋମ୍ଓ୍ଵାର୍କ ସାରି ନ ଥିବା ଜାଣିବାକୁ ପାଇଲେ। ସେ ସାତ ଜଣଙ୍କୁ ୫୦୦ ଥର ଲେଖାଏଁ ଉଠାବସା ହେବାକୁ ଦେବାନ ଆଦେଶ ଦେଲେ। କୌଣସିମତେ ଝିଅଟି ୩୦୦ ଥର ଉଠାବସା କରି ପାରିଲା। କିଛି ସମୟ ପରେ ସେଦିନ ତା’ର ଡାହାଣ ଗୋଡ଼ରେ ଥରା ଉଠି ବିନ୍ଧୁଛି ବୋଲି ଝିଅଟି ଅଭିଯୋଗ କରିଥିଲା। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାକୁ ନିଆ ଯାଇଥିଲା।
ବୁଧବାର ଦିନ ତା’ର ପିତାମାତା ପୁଲିସରେ ଫେରାଦ ହୋଇଥିଲେ। ସେହି ସ୍କୁଲ୍ରେ ଝିଅର ବାପା ଜଣେ ପିଅନ ଭାବେ କାମ କରନ୍ତି। ସ୍କୁଲ୍ କର୍ତ୍ତୃପକ୍ଷ କାଳେ ତାଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ସେଇ ଆଶଙ୍କାରେ ସେ ପୂର୍ବରୁ ଅଭିଯୋଗ ଦାଏର୍ କରି ନ ଥିଲେ। ଦେବାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ର ଧାରା ଲାଗୁ କରାଯାଇଛି। ଜାଣିଶୁଣି ଜଣକୁ ସାଙ୍ଘାତି ଆଘାତ କରିବା ସହ ଅପରାଧିକ ଭୟ ଦେଖାଇବା ଭଳି ଚାର୍ଜ ତାଙ୍କ ବିରୋଧରେ ଆଗତ ହୋଇଛି।
କୋହ୍ଲାପୁର ସେକେଣ୍ଡାରି ସ୍କୁଲ୍ ବିଭାଗର ଶିକ୍ଷା ଅଧିକାରୀ କିରଣ ଲୋହାର କହନ୍ତି: ଦଣ୍ଡ ବିଷୟରେ ଜାଣବା ପରେ ଆମେ ଏକ ତଦନ୍ତ କମିଟି ଗଠନ କରିଛୁ। ଦେବାନ ସେ ଛାତ୍ରୀଙ୍କୁ ଶାରୀରିକ ଦଣ୍ଡ ଦେଇଥିବା କଥା ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କିନ୍ତୁ, ସେ ପ୍ରକାରର ଦଣ୍ଡ ନିଷିଦ୍ଧ। ଆମେ ଅଭିଯୁକ୍ତାଙ୍କର ଦରମା ଆକାଉଣ୍ଟ୍ ଫ୍ରିଜ୍ କରି ଦେଇଛୁ।
ସୋମବାର ଦିନ ଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଛତ୍ରପତି ପ୍ରମିଳା ରାଜେ ସିଭିଲ୍ ହସ୍ପିଟାଲ୍କୁ ନିଆଯାଇଛି। ସେଠାରେ ତା’ର ସ୍ୱାସ୍ଥ୍ୟାବସ୍ଥା ଉପରେ ଦୃଷ୍ଟି ରଖାଯାଉଛି। ତଥାପି ତା’ର ଗୋଡ଼ ଥରୁଛି। ତା’ର କୌଣସି ସ୍ନାୟୁଗତ କ୍ଷତି ହୋଇ ନାହିଁ। ମାନସିକ କଷ୍ଟ ଯୋଗୁଁ ତା’ର ଗୋଡ଼ ଥରୁଥାଇ ପାରେ ବୋଲି ହସ୍ପିଟାଲ୍ର ଡିନ୍ ଡାକ୍ତର ଡି ରାମାନନ୍ଦ କହନ୍ତି।