ନାବାଳିକା ଅପହରଣ, ଯୁବକ ଗିରଫ

ଖଣ୍ଡଗିରି: ଟ୍ୟୁସନ ଯିବା ବାଟରୁ ଜଣେ ନାବାଳିକାକୁ ଅପହରଣ କରି ନେଇଥିବା ଅଭିଯୋ‌ଗରେ ଶନିବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ସ୍ଥାନୀୟ ରଘୁନାଥନଗର ଶାସ୍ତ୍ରୀନଗରରେ ରହୁଥିବା ଜଗତସିଂହପୁରର ସୂର୍ଯ୍ୟକାନ୍ତ ସାମଲ(୨୬)। ନାବାଳିକାଙ୍କ ବାପାଙ୍କ ପକ୍ଷରୁ ଥାନାରେ କରାଯାଇଥିବା‌ ଅଭିଯୋଗ ଅନୁସାରେ ଗତ ୩୦ ତାରିଖ ସନ୍ଧ୍ୟାରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଝିଅ ଟ୍ୟୁସନରୁ ଘରକୁ ଫେରିନଥିଲା। ଅଭିଯୁକ୍ତ ସୂର୍ଯ୍ୟକାନ୍ତ ତାଙ୍କ ଝିଅକୁ ଏକପାଖିଆ ପ୍ରେମ କରୁଥିବାରୁ ସେ କିଛି ଅଘଟଣ ଘଟାଇଥିବା ସନ୍ଦେହ କରି ନାବାଳିକାର ବାପା ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। ତେବେ ସୂର୍ଯ୍ୟକାନ୍ତ ନାବାଳିକାକୁ ନେଇ ରାଜ୍ୟ ବାହାରକୁ ଚାଲି ଯାଇଥିବାରୁ ପୁଲିସ ସେମାନଙ୍କ ଟେର୍ ପାଇନଥିଲା। ମାତ୍ର ମୋବାଇଲ୍ ଟ୍ରାକିଂ ଜାରି ରହିଥିଲା। ଆଜି ସକାଳ ପ୍ରାୟ ୧୧ଟାବେଳେ ସେମାନେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଥିବା ଜଣାପଡ଼ିବା ପରେ ପୁଲିସ ‌ସେଠାରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ନାବାଳିକାକୁ ପରିବାର ଜିମା ଦେଇଛି।

ସମ୍ବନ୍ଧିତ ଖବର