ପୁରୁଣା ଭୁବନେଶ୍ୱର: ଘରକୁ ଡାକି ଚା’ରେ ନିଶା ଦେଇ ଲୁଟ୍ କରିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲା, ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅଧୀନ ମାଲ୍ୟାରୁହା ଗ୍ରାମର ସାଗରଜିତ ଚାନ୍ଦ(୨୪)। ସେ ଜମେଶ୍ବରପାଟଣା ସାହିରେ ଭଡ଼ାରେ ରୁହେ। ପୁଲିସ ସୂଚନା ଅନୁଯାୟୀ, ଡୁମୁଡୁମାର ନୁଥହାର ରହେମନ୍ ସରକାର ଗତକାଲି ଟ୍ରେନ୍ରେ କୋଲକାତାରୁ ଫେରୁଥିଲେ। ସେହି ଟ୍ରେନ୍ରେ ସାଗରଜିତ ଓ ତାଙ୍କ ଦୁଇ ସହଯୋଗୀ ବାଲେଶ୍ୱରରୁ ଉଠିଥିଲେ। ସେମାନଙ୍କ ମଧ୍ୟରେ କଥାବାର୍ତ୍ତାରୁ ବନ୍ଧୁତା ସୃଷ୍ଟି ହୋଇଥିଲା। ରାତିରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସାଗରଜିତ ନୁଥହାରଙ୍କୁ ଘରକୁ ଡାକିଥିଲେ। ରାତିରେ ଘରେ ରହି ଯିବାକୁ କହିଥିଲେ। ସାଗରଜିତଙ୍କ କଥାରେ ରାଜି ହୋଇ ନୁଥହାର ତାଙ୍କ ଭଡ଼ା ଘରେ ରାତିରେ ଶୋଇଥିଲେ। କିନ୍ତୁ ସାଗରଜିତ ତାଙ୍କୁ ଚା’ରେ ନିଶା ଦେଇ ଚେତାଶୂନ୍ୟ କରିବା ପରେ ତାଙ୍କ ମୋବାଇଲ ଓ ୧୨ହଜାର ଟଙ୍କା ଚୋରି କରି ନେଇଥିଲେ। ଆଜି ଏନେଇ ନୁଥହାର ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।