ଜାଲିଆତି କରି ବ୍ୟାଙ୍କରୁ ୪୦ଲକ୍ଷ ଠକେଇ : ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଜାଲିଆତି କରି କଟକସ୍ଥିତ ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ୪୦ଲକ୍ଷ ଟଙ୍କା ଠକେଇ ଘଟଣାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ମୁଖ୍ୟ ଅଭିଯୁକ୍ତ ଗିରିଜା ପ୍ରସାଦ ସ୍ୱାଇଁକୁ ଗିରଫ କରିଛି। ତା ଘର ଜଗତସିଂହପୁର ଜିଲ୍ଲା ନୂଆଗାଁ ଅଞ୍ଚଳରେ। ସେ କଟକ ଜିଲ୍ଲା ବଜ୍ରକବାଟି ଅଞ୍ଚଳରେ ରହୁଥିଲେ।

କ୍ରାଇମ୍‌ବ୍ରାଞ୍ଚଠାରୁ ମିଳିଥିବା ସୂଚନା ମୁତାବକ, ଗତ ୨୦୦୭ ମସିହା ଅପ୍ରେଲ୍‌ ୧୭ ତାରିଖରେ ଗିରିଜା, ଗୋପବନ୍ଧୁ ମିରଦା ଓ ଶରତ ମହାରଣା ନକଲି ଜମିପଟ୍ଟା ବନ୍ଧକ ଦେଇ କଟକ ସ୍ଥିତ ଏସ୍‌ବିଆଇ ସିଟି ବ୍ରାଞ୍ଚରୁ ଶରତଙ୍କ ପତ୍ନୀ ନଳିନୀ ପ୍ରଭା ମହାରଣାଙ୍କ ନାମରେ ୪୦ଲକ୍ଷ ଟଙ୍କା ଋଣ ନେଇଥିଲେ। ବ୍ୟାଙ୍କ ମ୍ୟାନେଜର୍‌ ଜିକେ ଦାସ ଜାଣିବକୁ ପାଇଥିଲେ ଯେ, ଯେଉଁ ଜମି ପଟ୍ଟାକୁ ବନ୍ଧକ ଦିଆଯାଇଛି ତାହା ବିଶ୍ୱନାଥ ମହାରଣା ନାମକ ଜଣେ ବ୍ୟକ୍ତିଙ୍କ ନାମରେ ରହିଛି। ଆଉ ସେହି ଜମିପଟ୍ଟାକୁ ବନ୍ଧକ ଦେଇ ବିଶ୍ୱନାଥ ମହାରଣା ୨୦୦୫ । ମାର୍ଚ୍ଚ ୭ ତାରିଖରେ ଭୁବନେଶ୍ୱର ସ୍ଥିତ ଓୟୁଏଟି ଏସ୍‌ବିଆଇ ବ୍ରାଞ୍ଚରୁ ୫ଲକ୍ଷ ଗୃହ ଋଣ ନେଇଛନ୍ତି। ଘଟଣା ବିଷୟରେ ଜଣିବା ପରେ ଜିକେ ଦାସ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ କେସ୍‌ ନଂ-୨/୨୦୧୨ରେ ଏକ ମାମଲା ରୁଜୁ କରିଥିଲା। ଆଜି ଗିରିଜାଙ୍କୁ ଗିରଫ କରିବା ପରେ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା।

ପ୍ରକାଶ ଥାଉ କି, ପୂର୍ବରୁ ଅର୍ଥନୈତିକ ଅପରାଧ ଶାଖା ଶରତ କୁମାର ମହାରଣା, ନଳିନୀ ମହାରଣା ଓ ଗୋପବନ୍ଧୁ ମିରଦାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର