ସ୍ତ୍ରୀ ସହ କଳି କରି ଶାଶୁର ତଣ୍ଟି କାଟିଲା ଜ୍ୱାଇଁ

ନବରଙ୍ଗପୁର: ସ୍ତ୍ରୀ ସହ କଳି କରି ଏକ ଧାନକଟା ‘ଦା’ ସହାଯ୍ୟରେ ଶାଶୁର ତଣ୍ଟି କାଟିଥିବାର ଅଭିଯୋଗ ହୋଇଛି। ଶାଶୁ ଗୁରୁତର ଭାବେ ଆହତ ହୋଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ପୁଲିସ ଘଟଣା ସହିତ ସଂପୃକ୍ତ ଜ୍ୱାଇଁକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ପୂଜାରୀଗୁଡା ଗାଁର ପଦ୍ମା ହରିଜନ(୬୦) ଡାବୁଗାଁର ନୂଆଗଡ଼ସାହିରେ ଉପେନ୍ଦ୍ର ନାମକ ଜଣେ ଯୁବକଙ୍କ ସହ ନିଜ ଝିଅର ବିବାହ କରାଇଥିଲେ। ସେ ଝିଅକୁ ଦେଖିବା ପାଇଁ ଗତ ୩ ଦିନ ହେଲା ଯାଇଥିଲେ। ପଦ୍ମାଙ୍କ ଝିଅ ସଶ୍ମିତାଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାମୀ ଉପେନ୍ଦ୍ର ତାଙ୍କୁ କିଛି ଟଙ୍କା ମାଗିଥିଲେ। ସଶ୍ମିତା ତାଙ୍କ ସ୍ୱାମୀଙ୍କୁ ୧ଶହ ଟଙ୍କା ଦେଇଥିଲେ। ପୁଣି ଅଧିକ ଅର୍ଥ ମାଗିବା ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା। ସଶ୍ମିତାଙ୍କ ମା’ ପଦ୍ମା ଏଥିରେ ହସ୍ତକ୍ଷେପ କରି ଝଗଡ଼ା ନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ରାଗି ଯାଇ ଜ୍ୱାଇଁ ଉପେନ୍ଦ୍ର ଏକ ଧାନକଟା ‘ଦା’ ସାହାଯ୍ୟରେ ଶାଶୁଙ୍କ ବେକକୁ କାଟି ଦେଇଥିଲେ।

ପଦ୍ମାଙ୍କ ବେକ କାଟି ଦେବା ଫଳରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ନବରଙ୍ଗପୁର ଥାନା ପୁଲିସ ଜ୍ୱାଇଁ ଉପେନ୍ଦ୍ରକୁ ମେଡିକାଲରୁ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର