ଚାକିରି ନଥିବାରୁ ଟ୍ରେନ ସାମ୍ନାକୁ ଡେଇଁ ପଡ଼ିଲେ, ଶିଶୁ ମୃତ, ବାପା ଗୁରୁତର

ମୁମ୍ବାଇ: ଗତ ରବିବାର ସକାଳେ ଚର୍ଚ୍ଚଗେଟ୍ ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ୩୨ ବର୍ଷ ବୟସ୍କା ବ୍ୟକ୍ତି ତାଙ୍କ ତିନି ବର୍ଷର ପୁଅ ସହିତ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣାରେ ବ୍ୟକ୍ତିଙ୍କ ଜୀବନ ବଞ୍ଚି ଯାଇଥିବା ବେଳେ ତିନିବର୍ଷ ଶିଶୁ ପୁତ୍ରର ଜୀବନ ଚାଲି ଯାଇଛି। ଏହି ବ୍ୟକ୍ତି ମୁମ୍ବାଇ ମହାରାଷ୍ଟ୍ରର ନାଲା ସୋପାରା ନିବାସୀ ବୋଲି ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ, ୱାଗେଲା ନାମକ ଏହି ବ୍ୟକ୍ତି ଜଣ ବେରୋଜଗାର ଥିଲେ। ଏହି କାରଣରୁ ସବୁ ବେଳେ ତାଙ୍କ ପତ୍ନୀଙ୍କ ସହିତ ତାଙ୍କର ଝଗଡ଼ା ଲାଗି ରହିଥିଲା। ୱାଗେଲା ସ୍ତ୍ରୀ ଗୁଜୁରାଟରେ ରହୁଥିଲେ। ଜୀବନରେ ନିରାଶ ହେବା ପରେ ୱାଗେଲା ନିଜର ଏକମାତ୍ର ସନ୍ତାନକୁ ଧରି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହି ଘଟଣାକୁ ନେଇ ଜଣେ ଜିଆରପି ଅଧିକାରୀ କହିଛନ୍ତି ଯେ ଘଟଣାସ୍ଥଳରୁ ଶିଶୁର ମୃତଦେହକୁ ଜବତ କରି ମୃତ ଶିଶୁର ମା’ଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି ।

ଏହି ଘଟଣା ପୂର୍ବରୁ କିଛିମାସ ତଳେ ମହାରାଷ୍ଟ୍ରର ଜଲନାର ଜଣେ ୩୫ ବର୍ଷ ବୟସ୍କା ମହିଳା ୪ଜଣ ପିଲାଙ୍କ ସହ ଆତ୍ମହତ୍ୟା କରିବାର ଘଟଣା ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର