ତଣ୍ଟି ଚିପି ମାରିଥିଲେ ପରିବାର, ୪ ଗିରଫ

ଚିକିତ୍ସା ଖର୍ଚ ତୁଲାଇ ନ ପାରି ଗୃହକର୍ତାଙ୍କୁ ହତ୍ୟା ଘଟଣା

ବାଲୁଗାଁ: ବାଲୁଗାଁ ଥାନା ଅନ୍ତର୍ଗତ ଗୋପୀନାଥପୁର ନୂଆସାହିର ଦିଲୀପ ମାଲୁ (୫୫) ମୃତ୍ୟୁ ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। ରୋଗଗ୍ରସ୍ତ ଦିଲୀପଙ୍କ ଅପମୃତ୍ୟୁ ହୋଇନି ବରଂ ଚିକିତ୍ସା ଖର୍ଚ ତୁଲାଇ ନପାରି ପରିବାରଲୋକେ ରାଗରେ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି। ଏହି ଅଭିଯୋଗରେ ପୁଲିସ ଦିଲୀପଙ୍କ ସ୍ତ୍ରୀ ସୁମିତ୍ରା ମାଲୁ, ବଡ଼ ଝିଅ ସଂଗୀତା ମାଲୁ, ପୁଅ ଜଗନ୍ନାଥ ମାଲୁ ଓ ସାନ ଝିଅ ମାମା ମାଲୁ ମୋଟ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। କୋର୍ଟରେ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଆଜି ପୁଲିସର ପଚରାଉଚରା ବେଳେ ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ୱୀକାର କରିଥିବା ବାଲୁଗାଁ ପୁଲିସ ସୂତ୍ରରୁ ପ୍ରକାଶ। ଏହି ଘଟଣା ଆଜି ଜିଲ୍ଲା ବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ସୂଚନା ଅନୁଯାୟୀ, ଦିଲୀପ ଦୀର୍ଘ ଦିନ ହେବ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ। ବହୁ ଅର୍ଥ ଖର୍ଚ ପରେ ତାଙ୍କ ଅବସ୍ଥାରେ କୌଣସି ସୁଧାର ପରିଲକ୍ଷିତ ହେଉନଥିଲା। ତାଙ୍କ ଚିକିତ୍ସା ପାଇଁ ଅର୍ଥ ଖର୍ଚ କରି ପରିବାର ଏକପ୍ରକାର ସର୍ବସ୍ୱାନ୍ତ ହୋଇଯାଇଥିଲା। ଏହାକୁ ନେଇ ଅଧିକାଂଶ ସମୟରେ ପରିବାର ମଧ୍ୟରେ ଅଶାନ୍ତି ଲାଗି ରହୁଥିଲା। ଏହାକୁ କେନ୍ଦ୍ର କରି ଗତ ବୁଧବାର ଅପରାହ୍‌ଣ ପ୍ରାୟ ୫ଟାରେ ଝିଅ ସଂଗୀତା ହଠାତ୍‌ ରାଗିଯାଇ ବାପା ଦିଲୀପଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଗ୍ରାମବାସୀ ହସ୍ତକ୍ଷେପ କରି ଏହାର ସମାଧାନ କରିଥିଲେ। କିନ୍ତୁ ସେହି ରାତିରେ ସ୍ତ୍ରୀ ସୁମିତ୍ରା, ବଡ଼ ଝିଅ ସଂଗୀତା, ପୁଅ ଜଗନ୍ନାଥ ଓ ସାନ ଝିଅ ମାମା ମିଳି ମିଶି ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଗୁରୁବାର ଦିଲୀପଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀମାନେ ଜାଣିବାକୁ ପାଇଥିଲେ। ମୃତ ଦିଲୀପଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖାଯାଇଥିଲା। ତେଣୁ ତାଙ୍କୁ ପରିବାରଲୋକେ ହତ୍ୟା କରିଥିବା ସନ୍ଦେହରେ ଗ୍ରାମର କେତେକ ମୁରବି ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ସଂଜୟ କୁମାର ପଟ୍ଟନାୟକ ସଦଳବଳେ ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାସହ ନମ୍ବର ୨୨/୧୮ରେ ଏକ ମାମଲା ରୁଜୁ କରି ପରିବାରଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲେ।

ସମ୍ବନ୍ଧିତ ଖବର