ରେଳ ବିଭାଗରେ ଜାଲ୍‌ ନିଯୁକ୍ତି ମାମଲା: ଯୁବକ ଗିରଫ, ୯ ଜାଲ୍‌ ନିଯୁକ୍ତିପତ୍ର ଜବତ

ଚନ୍ଦ୍ରଶେଖରପୁର: ପ୍ରକୃତ ନାଁ ସରୋଜ ନାୟକ (୪୫)। ମାତ୍ର ସାଜିଥିଲେ ବଟକୃଷ୍ଣ ମିଶ୍ର। ନିଜକୁ ପରିଚୟ ଦେଉଥିଲେ ପୂର୍ବତଟ ରେଳପଥ ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ କର୍ମଚାରୀ ଭାବରେ। ହାତେଇ ନେଇଥିଲେ ରେଳ ବିଭାଗର ଏକ ନକଲି ପରିଚୟ ପତ୍ର। ଆଉ ତା’ ମାଧ୍ୟମରେ କରୁଥିଲେ ରେଲେଓ୍ଵ ରେ ଫେକ୍‌ ନିଯୁକ୍ତି। ରେଳ ବିଭାଗରେ ଚାକିରୀ ଯୋଗାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ନିରୀହ ଲୋକଙ୍କୁ ଲୁଟୁଥିବା ଅଭ୍ୟାସଗତ ଠକ ସରୋଜ କୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗିରଫ କରିଛି। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅର୍ନ୍ତଗତ ଅଙ୍ଗାରଗାଡ଼ିଆ ଗ୍ରାମର ଅଭିଯୁକ୍ତ ସରୋଜ ନିକଟରୁ ୯ଟି ଜାଲ୍‌ ନିଯୁକ୍ତିପତ୍ର, ନକଲି ଆଇଡ଼ି କାର୍ଡ଼ ସମେତ ବିଭିନ୍ନ ବ୍ୟକ୍ତିଙ୍କ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ଜବତ କରିଛି। ଭଦ୍ରକ ଜିଲ୍ଲା ଜଗଦଲପୁର ଅଞ୍ଚଳର ସୁପ୍ରଭା ବେହେରା, ଧାମରା ଅଞ୍ଚଳର ଟୁକୁନା ମାଝୀ, କଟକ ଜିଲ୍ଲା କଟିକଟା ଅଞ୍ଚଳର ଦିଲ୍ଲୀପ ସିଂ ଙ୍କ ଠାରୁ ରେଳ ବିଭାଗର ଗ୍ରୁପ୍‌ ସି ରେ ନିଯୁକ୍ତି ଯୋଗାଇଦେବା ନେଇ ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି। ଭଦ୍ରକ ର ସୁପ୍ରଭା ମାଝୀଙ୍କ ଠାରୁ ଏଥିପାଇଁ ୬୦,୦୦୦ ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଜେରାରେ ଅଭିଯୁକ୍ତ ଜଣକ ସବୁ ଦୋଷ ସ୍ୱିକାର କରିଛି। ରେଳ ବିଭାଗର ମିଛ କର୍ମଚାରୀ ପରିଚୟ ଦେଇ ଚାକୀରି କରେଇଦେବା କହି ଲୋକଙ୍କୁ ଠକୁଥିବା ଜେରା ବେଳେ ପ୍ରକାଶ କରିଛି ଫେକ୍‌ ନିଯୁକ୍ତି ସ୍କାମ୍‌ ର ଅଭିଯୁକ୍ତ ସରୋଜ। ମାତ୍ର ସରୋଜ ଏହି ଧନ୍ଦାରେ ଏକୁଟିଆ ନାଁ ତା’ ପଛରେ ଆଉ କାହାର ହାତ ଅଛି, ଏନେଇ ଆର୍‌ପିଏଫ୍‌ ପୁଲିସ୍‌ ଅଧିକାରୀ ଅନୁସୟା ବରାଳଙ୍କ ଏତଲା କ୍ରମେ ଚନ୍ଦ୍ରଶେଖରପୁର ପୁଲିସ୍‌ ଘଟରା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି।

ଜଣେ ଲୋକ, ଦୁଇଟି ନାମ

ଶୁକ୍ରବାର ମଧ୍ୟାହ୍ନରେ ରେଳ ସଦନ ଅଞ୍ଚଳରେ ଆର୍‌ପିଏଫ୍‌ ଇନ୍‌ସ୍ପେକ୍ଟର ଅନୁସୟା ବରାଳଙ୍କ ନେତୃତ୍ୱରେ ଏକ ସର୍‌ପ୍ରାଇଜ୍‌ ଚେକିଂ କରାଯାଇଥିଲା। ଏହି ସମୟରେ ରେଳ ସଦନ କ୍ୟାଣ୍ଟିନ୍‌, ନର୍ଥ ବ୍ଲକ୍‌ ତୃତୀୟ ମହଲାରେ ଅଭିଯୁକ୍ତ ସରୋଜ ସହିତ ଆଉ ଦୁଇ ଜଣଙ୍କୁ ଆର୍‌ପିଏଫ୍‌ ପୁଲିସ୍‌ ଦେଖିଥିଲା। ପୁଲିସ୍‌ କୁ ଦେଖି ଅଭିଯୁକ୍ତ ଜଣଙ୍କ ହଡ଼ବଡ଼େଇ ଯାଇଥିଲା। ପଚରାଉଚୁରାରୁ ନିଜ ନାମ ସରୋଜ ନାୟକ ବୋଲି କହିଥିଲା। ମାତ୍ର ବେକରେ ବଟକୃଷ୍ଣ ମିଶ୍ର ନାମକ ଏକ ପରିଚୟପତ୍ର ପକେଇ ଥିବାରୁ ପୁଲିସ୍‌ର ସନ୍ଦେହ ଦୃଢ଼ ହୋଇଥିଲା। ପରେ ଥାନାକୁ ଆଣି ଜେରା କରିବାରୁ ସବୁ ଦୋଷ ସ୍ୱିକାର କରିଥିଲା ଠକ ସରୋଜ। ନିଜକୁ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ରେ ସୁପରଭାଇଜର୍‌ ପ୍ରଦୀପ ସାହୁଙ୍କ ଅଧିନରେ ଜଣେ ଏସି କୋଚ୍‌ ଆଟେଣ୍ଡାଣ୍ଟ୍‌ ଭାବରେ ପରିଚୟ ଦେଇ ଚାକିରୀ ନାଁରେ ଲୁଟୁଥିବା ସ୍ୱିକାର କରିଥିଲା ଅଭିଯୁକ୍ତ।

ସମ୍ବନ୍ଧିତ ଖବର