ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା!

ଜଗତସିଂହପୁର ଟାଉନ୍‍: ରଘୁନାଥପୁରପୁର ବ୍ଲକ୍‍ ଧଳତଙ୍ଗଡ଼ ଜଙ୍ଗଲ ନିକଟ ମୁଣ୍ଡାଳ ରାସ୍ତାକଡ଼ରୁ ଆଜି ଏକ ଅଖା ଭିତରେ ଯୁବତୀଙ୍କ ହାତଗୋଡ଼ ବନ୍ଧା ମୃତଦେହ ମିଳିଛି। କେହି ଦୁର୍ବୃତ୍ତ ଦୁଷ୍କର୍ମ ପରେ ହତ୍ୟାକରି ଅଖାରେ ପୁରାଇ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଯୁବତୀଙ୍କ ପରିଚୟ ମିଳି ପାରିନାହିଁ। ରଘୁନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୭ଟା ସମୟରେ ଧଳତଙ୍ଗଡ଼ ଜଙ୍ଗଲ ନିକଟ ରେଢ଼ୁଆ ନାଲିବର ରାସ୍ତା ମୁଣ୍ଡାଳ ରାସ୍ତାକଡ଼ରେ ଏକ ଅଖା ମୁହଁ ବନ୍ଧାହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ରଘୁନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଖା ଖୋଲିବାରୁ ଭିତରେ ଜଣେ ଯୁବତୀଙ୍କ ମୃତଦେହ ଥିବା ଦେଖାଯାଇଥିଲା। ଜଗତସିଂହପୁରର ଫୋରେନ୍‍ସିକ୍‍ ଟିମ୍‍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। କଳାରଙ୍ଗର ଚୁଡ଼ିଦାର ପିନ୍ଧିଥିବା ଉକ୍ତ ଯୁବତୀଙ୍କ ଦୁଇ ହାତ ଓ ଦୁଇ ଗୋଡ ବନ୍ଧା ହୋଇଥିବା ବେଳେ କାନରେ ଷ୍ଟୋନ୍‍ ଓ ହାତରେ ଏକ ସାଧାରଣ ମୁଦି ରହିଛି। ବେକରେ ଗୋଲେଇ ଦାଗ, ପେଟ ଓ ଛାତିରେ ଆଘାତ ଚିହ୍ନ ଓ ମୁଣ୍ଡରେ ଆଘାତ ସହିତ ନାକରୁ ରକ୍ତ ବାହାରୁଥିବାରୁ ଏହା ଏକ ସୁଚିନ୍ତିିତ ହତ୍ୟା ବୋଲି ଅନୁମାନ କରାଯାଉଛି। କେହି ଦୁର୍ବୃତ୍ତ ଦୁଷ୍କର୍ମ ପରେ ବେକ ଚାପି ହତ୍ୟା କରିଛନ୍ତି ବୋଲି ତିର୍ତ୍ତୋଲ ଏସ୍‍ଡିପିଓ ଶିବଚରଣ ମଲ୍ଲିକ ପ୍ରାଥମିକ ତଦନ୍ତରେ ଅନୁମାନ କରିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର