ବାହାଘରର ଦୁଇ ଦିନ ପରେ ସୁନା, ଗହଣା ନେଇ ଚମ୍ପଟ ମାରିଲେ ନବ ବିବାହିତା ବଧୂ

ହରିଦ୍ୱାର: ଦୁନିଆକୁ ଦେଖି କାହାଣୀ ରଚନା ହୁଏ ନାଁ କାହାଣୀରୁ ଦୁନିଆ ଲୋକ ପ୍ରେରିତ ହୁଅନ୍ତି ଏକଥା ଆଦୌ ବୁଝି ହୁଏନି। ବେଳେ ବେଳେ ଚଳଚ୍ଚିତ୍ର କିମ୍ବା ଗଳ୍ପ-ଉପନ୍ୟାସରେ ଦିଶେ ସମାଜର ଚିତ୍ର ଆଉ ପୁଣି କେବେ ସମାଜରେ ଘଟୁଥିବା ଘଟଣା ଲାଗେ ଚଳଚ୍ଚିତ୍ରର କାହାଣୀ କି! ଆପଣ ଯଦି ଅଭିନେତ୍ରୀ ସୋନମ କପୁର୍‌ଙ୍କ ଅଭିନୀତ ‘ଡଲି କି ଡୋଲି’ ଚଳଚ୍ଚିତ୍ର ଦେଖିଥିବେ ତେବେ କାହାଣୀଟି ଆପଣ ଅନୁମାନ କରିସାରିବେଣି ନିଶ୍ଚୟ । ଆସନ୍ତୁ ଜାଣିବା ଚଳଚ୍ଚିତ୍ରର ସୋନମଙ୍କ ପରି କେବଳ ଟଙ୍କା ଓ ସୁନା ଲୁଟିବା ପାଇଁ ବିବାହ ବନ୍ଧନରେ ବାନ୍ଧି ହେଇଥିବା ଏହି ମହିଳାଙ୍କ ସଂପର୍କରେ।

ଫଟୋରେ ଦୃଶ୍ୟମାନ ହେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି କୃଷକ ଅଜୟ ତ୍ୟାଗୀ। ତାଙ୍କ କଡ଼ରେ ଠିଆ ହୋଇଛନ୍ତି ପତ୍ନୀ କାୟା। ଉତ୍ତରଖଣ୍ଡର ରୋର୍‌କିସ୍ଥିତ କୁମାନ ହେଡ଼ି ଗ୍ରାମର ଅଜୟ କିଛି ମାସେ ତଳେ କାୟାଙ୍କ ସହ ସଂପର୍କରେ ଆସି ନଭେମ୍ବର ୨୨ ତାରିଖରେ ବିବାହ କରିଥିଲେ।

ପରିବାର ଲୋକଙ୍କ କହିବା ଅନୁଯାୟୀ ଶୁକ୍ରବାର ପର୍ଯ୍ୟନ୍ତ ସବୁ ଠିକ ଥିଲା। ଶୁକ୍ରବାର ଦିନ ହଠାତ କାୟାଙ୍କୁ ଟିକେ ଅସହଜ ଲାଗିବାରୁ ତାଙ୍କୁ ନେଇ ଡାକ୍ତରଖାନାଗଲେ ଶଶ୍ୱରଘର ଲୋକେ। ଡାକ୍ତର ମେଡିସନ୍‌ ଲେଖିବା ପରେ କାୟା ଚିକେନ୍‌ ଖାଇବାକୁ ଇଚ୍ଛା ପ୍ରକଟ କରିଥିଲେ। ସେଠାରେ ଆମୀଷ ଖାଦ୍ୟ ଉପଲବ୍ଧ ନଥିବାରୁ ଅଜୟ ପତ୍ନୀଙ୍କୁ  ଉତ୍ତରପ୍ରଦେଶ ସୀମାରେ ଥିବା ପର୍‌କ୍ୱାଜିକୁ ନେଇ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ପତ୍ନୀ କାୟା ଥଣ୍ଡା ପାନୀୟ ପିଇବାକୁ ଚାହିଁଲେ। ଯେତେବେଳେ ଅଜୟ ପାନୀୟ ପାଇଁ ଉଠିକି ଗଲେ କାୟା କେଉଁଆଡ଼େ ପଳାଇ ଗଲେ ଯେ ଆଉ ଫେରିଲେ ନାହିଁ ବୋଲି ଅଜୟଙ୍କ ଭାଇ ରାହୁଲ କହିଛନ୍ତିି।

ଅଜୟ ଘଣ୍ଡା ଘଣ୍ଟା ଅପେକ୍ଷା କରିବା ପରେ ବି ମହିଳା ଜଣକ କିନ୍ତୁ ଫେରି ନଥିଲେ। ଯିବା ସମୟରେ ସାଥିରେ ବାହାଘରରେ ଉପହାର ସଦୃଶ ପାଇଥିବା ସମସ୍ତ ସୁନା-ଗହଣା ନେଇ ଚାଲି ଯାଇଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏ ସଂପର୍କରେ ଅଜୟ କହନ୍ତି, ‘କନ୍ୟା ତ ଗଲା, ଗହଣା ବି ଗଲା।’ ତେବେ, କନ୍ୟାଟି ଡାକ୍ତରଙ୍କ ପାଖକୁ ଯିବା ବେଳେ ହିଁ ସମସ୍ତ ଗହଣା ନେଇ ପ୍ରସ୍ତୁୁତ ହୋଇ ଯାଇଥିଲା ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି।

ଏ ନେଇ ଅଜୟ ହରିଦ୍ୱାରର ନରସନ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ପୁଲିସ୍‌ ସନ୍ଦେହ କରୁଛି ଯେ ମହିଳା ଜଣଙ୍କର ଏପରି ଏକ ଦଳ ରହିଛି। ଉକ୍ତ ଦଳର ସଦସ୍ୟମାନେ ଯୋଜନା କରି ଏପରି ମିଛ ବିବାହ କରି ସୁନା, ରୁପା ଲୁଟିଥାନ୍ତି।

ନରସନ ପୁଲିସ୍‌ କହିଛି ଯେ ‘ଆମେ ଅଭିଯୋଗ ଗ୍ରହଣ କରିଛୁ। ମାତ୍ର ଯେହେତୁ ମହିଳା ପରକ୍ୱାଜିଠାରୁ ପଳାଇ ଯାଇଛନ୍ତି ତ ଅଭିଯୋଗ ସେଠାରେ ଦେବା ଉଚିତ। ଆମେ ଏହି ମାମଲା ଉପରେ ଦୃଷ୍ଟି ରଖୁଛୁ। ଆବଶ୍ୟକୀୟ ସମସ୍ତ ପ୍ରକାର ସାହାଯ୍ୟ ଆମେ କରିବୁ।’

ସମ୍ବନ୍ଧିତ ଖବର