ମୁଁ ଖାଲି ଥରେ ପଚାରିବାକୁ ଚାହେଁ ଯେ ସେ ମୋ ପୁଅକୁ କାହିଁକି ମାରିଲା? କାନ୍ଦି କାନ୍ଦି କହିଲେ ପ୍ରଦ୍ୟୁମ୍ନର ମାଆ!

ଗୁରୁଗ୍ରାମ: ଦିନକୁ ଦିନ ବଢୁଛି ଦ୍ୱନ୍ଦ୍ୱ। ପୁଲିସ ସ୍କୁଲ୍‌ ବସ କଣ୍ଡକ୍ଟରକୁ ଗିରଫ କରିବା ପରେ ନିକଟରେ ପ୍ରଦ୍ୟୁମ୍ନର ହତ୍ୟା ଅଭିଯୋଗରେ ପୁଲିସ୍‌ ସେହି ସ୍କୁଲ୍‌ର ଜଣେ ଏକାଦଶ ଶ୍ରେଣୀର ଛାତ୍ରକୁ ଗିରଫ କରିଛି। ଛାତ୍ରଟି ପରୀକ୍ଷା ରୋକିବା ପାଇଁ ପ୍ରଦ୍ୟୁମ୍ନର ହତ୍ୟା କରିଥିବା କଥା କହିଛି । ଏପଟେ କାନ୍ଦି କାନ୍ଦି ଧୈର୍ଯ୍ୟହରା ହୋଇପଡ଼ିଲେଣି ପ୍ରଦ୍ୟୁମ୍ନର ମାଆ ଜ୍ୟୋତି ଠାକୁର। ସେ ଭାବପ୍ରବାଣ କଣ୍ଠରେ ଯାହା କୁହନ୍ତି ତାହା ଅତ୍ୟନ୍ତ ହୃଦୟ ବିଦାରକ। ଏକାଦଶ ଶ୍ରେଣୀର ଅଭିଯୁକ୍ତ ଛାତ୍ରକୁ ପୁଲିସ୍‌ ଗିରଫ କରିବା ପରେ କାନ୍ଦି କାନ୍ଦି ପ୍ରଦ୍ୟୁମ୍ନର ମାଆ କୁହନ୍ତି, ‘ମୁଁ ଥରେ ଖାଲି ସେ ପିଲାକୁ ଦେଖା କରିବାକୁ ଚାହେଁ। ଥରେ ଖାଲି ପଚାରିବାକୁ ଚାହେଁ ସେ ମୋ ପୁଅକୁ କାହିଁକି ମାରିଲା!’

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୮ ତାରିଖରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା କୁନି ବାଳକ ପ୍ରଦ୍ୟୁମ୍ନର ମୃତଦେହ ଗୁରୁଗ୍ରାମରେ ଥିବା ରେୟାନ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ପରିସରରେ ମିଳିଥିଲା। ସ୍କୁଲ୍‌ ପରିସରରେ ପ୍ରଦ୍ୟୁମ୍ନର ମୃତ ଶରୀର ମିଳିବା ପରେ ତାହାକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍‌କୁ ପଠାଯାଇଥିଲା। ପ୍ରଦ୍ୟୁମ୍ନର ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ଜାଣିବାକୁ ମିଳିଥିଲା ଯେ ତା’ର ବେକକୁ କେହି ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିଛି। ଏହି ମାମଲାରେ ରିୟାନ୍‌ ଇଣ୍ଟରନେସନାଲ୍‌ ସ୍କୁଲ୍‌ର ବସ୍‌ କଣ୍ଡକ୍ଟରଙ୍କୁ ପୁଲିସ୍‌ ଗିରଫ କରିଥିଲା। ସୁରକ୍ଷା ମାନଦଣ୍ଡର ଉଲଂଘନ କରିଥିବାରୁ ସ୍କୁଲ୍‌ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଗିରଫ ପର ଦିନ କଣ୍ଡକ୍ଟର ଅଶୋକ କୁମାର ନିଜେ ପ୍ରଦ୍ୟୁମ୍ନର ହତ୍ୟା କରିଥିବା କଥା ସ୍ୱୀକାର କରିଥିଲେ। ମାତ୍ର ଏହାକୁ ଅବିଶ୍ୱାସ କରିଥିଲେ ପ୍ରଦ୍ୟୁମ୍ନର ବାପା। କଣ୍ଡକ୍ଟର ତାଙ୍କ ପୁଅର ହତ୍ୟା କରିବାର କୌଣସି କାରଣ ନାହିଁ ବୋଲି କହିବା ସହ ତାଙ୍କ ପୁଅର ହତ୍ୟା କରିବା ପାଇଁ ଏହା ହେଉଛି କାହାର ଷଡ଼ଯନ୍ତ୍ର ବୋଲି ପ୍ରକାଶ କରିଥିଲେ।

ଏହି ମାମଲାର ତଦନ୍ତ କରି ସିବିଆଇ ଉକ୍ତ ସ୍କୁଲ୍‌ରେ +୨ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରକୁ ଗିରଫ କରିଛି। ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ) ଖୁବ୍‌ ଶୀଘ୍ର ଏହି ମାମଲା ନେଇ ଗୁଡ଼ାଏ ତଥ୍ୟ ସାମ୍ନାକୁ ଆଣିବ ବୋଲି ପ୍ରକାଶ କରିଛି। ଗିରଫ ହୋଇଥିବା ଏହି ଅଭିଯୁକ୍ତଙ୍କର ପରିବାର ଲୋକଙ୍କୁ ପଚାରିବାରୁ ଜାଣିବାକୁ ମିଳିଛି ତାଙ୍କ ବୟସ ୧୬ ବର୍ଷ ଊର୍ଧ୍ୱ। ଏ ସଂପର୍କରେ ବିଶେଷଜ୍ଞ ମତ ଦେଇଛନ୍ତି ଅଭିଯୁକ୍ତଙ୍କୁ ଜଣେ ପ୍ରାପ୍ତ ବୟସ୍କ କିମ୍ବା ନାବାଳକ ଭାବେ ବିଚାର କରାଯିବ ଏହା ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ନିଷ୍ପତ୍ତି ନେବେ।

ଏଠାରେ ଜଣାଇ ଦେଉଛୁ କି, ୨୦୧୨ ମସିହାରେ ଘଟିଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଜଣେ ନାବାଳକ ସାମିଲ୍‌ ଥିବାରୁ ସୁପ୍ରିମ୍‌କୋର୍ଟ ଆଇନରେ ସଂଶୋଧନ କରିଛନ୍ତି। ୧୬ରୁ ୧୮ ବୟସ ମଧ୍ୟରେ ଥିବା ଅଭିଯୁକ୍ତକୁ ଜଘନ୍ୟ ଅପରାଧ ମାମଲାରେ ପ୍ରାପ୍ତବୟସ୍କ ବୋଲି ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର