କୁଆଖାଇରୁ ବେଧଡ଼କ ବାଲି ଚାଲାଣ

୨ ହାଇଓ୍ଵା, ଦୁଇ ଚାଳକ ଅଟକ

ବାଲିଅନ୍ତା: ବାଲିଅନ୍ତା ତହସିଲ ସୀମା ପରିସରଭୁକ୍ତ କୁଆଖାଇ ନଦୀଘାଟରୁ ବେଆଇନ ଭାବେ ବାଲି ଚାଲାଣ ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। କୁଆଖାଇର ବଇଁଚୁଆ ଓ ରଙ୍ଗବଜାର ଅଞ୍ଚଳରୁ ସକାଳୁ ରାତି ତମାମ୍‌ ଶହ ଶହ ବାଲି ବୋଝେଇ ଟ୍ରକ୍‌ ବିଭିନ୍ନ ଆଡ଼କୁ ଯାଉଛି। ତହସିଲ ଓ ରାଜ୍ୟ ପ୍ରଦୂଷଣ ବୋର୍ଡ ଆଖିରେ ଆଙ୍ଗୁଠି ଗେଞ୍ଜି ଏଭଳି ଚୋରା ଚାଲାଣ ହେଉଛି। ନଦୀର ଗୋଟିଏ ପାର୍ଶ୍ୱ ଭୁବନେଶ୍ୱର ତହସିଲ ଅଧୀନରେ ଯାଉଥିବା ବେଳେ ଅନ୍ୟପାର୍ଶ୍ୱ ବାଲିଅନ୍ତା ତହସିଲ ଅନ୍ତର୍ଭୁକ୍ତ। ହେଲେ ବିନା ନିଲାମରେ ପ୍ରତିଦିନ ନଦୀରୁ ବାଲିତଡ଼ା ଚାଲିଛି। ହେଲେ ଉଭୟ ତହସିଲ ପକ୍ଷରୁ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଅଭିଯୋଗ ହେଉଛି। ବାଲିଅନ୍ତା ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ଗୁରୁବାର ପୂର୍ବାହ୍ନରେ ବଇଁଚୁଆରେ ଚଢ଼ଉ କରି ଗୋଟିଏ ହାଇଓ୍ଵା (ଓଡି ୦୨ ଏଇ ୩୮୬) ଓ ରଙ୍ଗବଜାର ରାସ୍ତାରେ ଚଢ଼ଉ କରି ଆଉ ଗୋଟିଏ ହାଇଓ୍ଵା (ଓଡି ୦୨ ଏଫ୍‌ ୧୭୯୯ ) ମଧ୍ୟ ଜବତ କରିଛନ୍ତି। ଏଥିସହିତ ଏହାର ଚାଳକ ଦ୍ୱୟଙ୍କୁ ମଧ୍ୟ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଗାଡ଼ିମାଲିକଙ୍କ ନିକଟରୁ ଜରିମାନା ଆଦାୟ କରାଯିବା ପାଇଁ ଉପରୋକ୍ତ ଗାଡ଼ି ଦୁଇଟିକୁ ବାଲିଅନ୍ତା ତହସିଲଦାରଙ୍କୁ ଜଣାଇ ଦିଆଯାଇଥିବା ଶ୍ରୀ ସ୍ୱାଇଁ କହିଛନ୍ତି ।

ସମ୍ବନ୍ଧିତ ଖବର