ଚାକିରି ଦେବା ନାଁରେ ବିଧବାଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର : ଜଣେ ଅସହାୟ ବିଧବା ମହିଳାଙ୍କୁ ଚାକିରି କରାଇ ଦେବାକୁ କହି ଜଣେ ବ୍ୟକ୍ତି ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ମହିଳା ଜଣକ ଦୀର୍ଘ ସାତ ମାସ ହେଲା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତାଙ୍କ କଥା ଶୁଣୁ ନାହିଁ ବୋଲି ସେ ଅଭିଯୋଗ କରଇଛନ୍ତି। ନୂଆପଲ୍ଲୀ ଥାନା ସାଲିଆସାହି ବସ୍ତିରେ ଜଣେ ବିଧବା ମହିଳା ଗୋଟେ ପୁଅ ଓ ଝିଅ ସହିତ ରହୁଛନ୍ତି। କିଛି ଦିନ ତଳେ ସେହି ବସ୍ତିରେ ରହୁଥିବା ବେଣୁଧର ନାୟକ ନାମକ ଜଣେ ବ୍ୟକ୍ତି ତାଙ୍କୁ ଚାକିରି କରାଇଦେବାକୁ କହିଥିଲେ। ଏହାର କିଛି ଦିନ ପରେ ବେଣୁଧର ମହିଳାଙ୍କୁ ବିବାହର ପ୍ରସ୍ତାବ ମଧ୍ୟ ଦେଇଥିଲେ। ମହିଳା ଜଣକ ଏହାକୁ ମନା କରିବାରୁ ବେଣୁଧର ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏନେଇ ମହିଳା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଥାନାରେ ତାଙ୍କ କଥା କେହି ଶୁଣୁ ନାହାନ୍ତି, ଓଲଟି ଜଣେ ମହିଳା ପୁଲିସ କର୍ମଚାରୀ ମାଡ଼ମାରି ଥାନାରୁ ତଡ଼ି ଦେବାକୁ ଧମକ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଘରେ ପଶି ମହିଳାଙ୍କୁ ଅସଦାଚରଣ

ଭୁବନେଶ୍ୱର  : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଘରେ ପଶି ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ଶାଶୂ ଆଜି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବୁଧବାର ସକାଳ ପ୍ରାୟ ଆଠଟାରେ ଆଖଣ୍ଡଳମଣି ବସ୍ତିର ଜଣେ ଯୁବକ ପଳାଶୁଣୀ ମୁଣ୍ଡାସାହି ଅଞ୍ଚଳରେ ରହୁଥିବା ଜଣେ ମହିଳଙ୍କ ଘରେ ପଶି ତାଙ୍କୁ ଅସଦାଚରଣ କରିଥିଲା। ମହିଳାଙ୍କ ଶାଶୂ ଯୁବକଙ୍କୁ ବିରୋଧ କରିଥିଲେ। ଏଥିରେ ଯୁବକ ଜଣଙ୍କ ଉତ୍ତ୍ୟକ୍ତ ହୋଇ ଶାଶୂଙ୍କୁ ମାଡ଼ ମାରିଥିଲେ। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ସୁସ୍ଥ ଅନୁଭବ କରିବାରୁ ଆଜି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର