ତେଲେଙ୍ଗାନା: ଦୁଇ ଦଳିତଙ୍କୁ ବାଡ଼ିରେ ପିଟି ପଙ୍କ ଗାଡ଼ିଆରେ ବୁଡ଼ାଇଲେ ବିଜେପି ନେତା

ନିଜାମାବାଦ: ନିଜାମାବାଦ ଜିଲ୍ଲାର ନଓ୍ଵିପେଟ୍‌ ମଣ୍ଡଳ ଅନ୍ତର୍ଗତ ଅଭଙ୍ଗମ୍‌ପଟନମ୍‌ ଗାଁ’ରେ ତାଙ୍କ ବେଆଇନ୍‌ ଗେଙ୍ଗୁଟି ଖାଦାନ ବିଷୟରେ ପ୍ରଶ୍ନ ଉଠାଇ ଥିବା ଦୁଇ ଦଳିତ ଯୁବକଙ୍କ ସହ ଜଣେ ବିଜେପି ନେତା କ୍ରୁର ଆଚରଣ କରିଛନ୍ତି।

ରବିବାର ଦିନ ଏହି ଘଟନାର ଏକ ଭିଡିଓ କ୍ଲିପ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଫଳତଃ, ସେ ଦୁଇ ପୀଡ଼ିତଙ୍କୁ ସେ ବିଜେପି ନେତା ତୁରନ୍ତ କୌଣସି ଅଜ୍ଞାତ ସ୍ଥାନରେ ଲୁଚାଇ ରଖିଛନ୍ତି।

ଅଭଙ୍ଗପଟନମ୍‌ର ଦଳିତ ଯୁବକ କୋନ୍ଦ୍ରା ଲକ୍ଷ୍ମଣ ଏବଂ ରାଜେଶ୍ୱର ସେପ୍ଟେମ୍ବର ୧୭ ତାରିଖ ଦିନ ସେମାନଙ୍କ ଗ୍ରାମ ଉପକଣ୍ଠରେ ଥିବା ଗେଙ୍ଗଟି ଖାଦାନକୁ ଯାଇ ତାହାର ଅନୁମତି ସଂକ୍ରାନ୍ତରେ ପଚରା ପଚରି କରିଥିଲେ।

ଖାଦାନର ମାଲିକ ବିଜେପି ନେତା ତଥା ଦଳର ପୂର୍ବତନ ଜିଲ୍ଲା ସଚିବ ଏମ୍‌. ଭରତ ରେଡ୍ଡୀ ଘଟଣାସ୍ଥଳକୁ ଧାଇଁ ଯାଇ ଗୋଟାଏ ବାଡ଼ିରେ ଦୁଇ ତରୁଣଙ୍କୁ ପିଟିଥିଲେ। ତା’ପରେ ଖାଦାନକୁ ଆସିଥିବା କାରଣରୁ ସେ ତାଙ୍କୁ ପଙ୍କ ଗାଡ଼ିଆରେ ବୁଡ଼ାଇ, ମାଟିରେ ନାକ ଘଷାଇ କ୍ଷମାଯାଚନା କରାଇଥିଲେ।

କେବଳ ସେତିକି ନୁହେଁ ଅକଥାରେ ସେମାନଙ୍କୁ ଗାଳିଗୁଲଜ କରିବା ସହ ଭୟାବହ ପରିଣାମ ଭୋଗିବ ବୋଲି ସେ ଧମକ ଦେଇଥିଲେ। ପୀଡ଼ିତମାନେ କରପତ୍ର ଯୋଡ଼ି ଗୁହାରି କରୁଥିଲେ ମଧ୍ୟ ସେ କ୍ରୁରତା ପରିହାର କରି ନ ଥିଲେ।

ଭରତ ରେଡ୍ଡୀ ଦୁଇ ଦୁଇଟି ନରହତ୍ୟା ଏବଂ ଅନ୍ୟାନ୍ୟ ମାମଲାରେ ସମ୍ପୃକ୍ତ ଥିବାରୁ ତାଙ୍କ ନାମରେ ଜିଲ୍ଲାର କେତେକ ଥାନାରେ ମାମଲା ଦାଏର ହୋଇଛି। ଚାରି ବର୍ଷ ଅଜ୍ଞାତବାସରେ ରହିବା ପରେ ପୁନଶ୍ଚ ସେ ନଓ୍ଵିପେଟ୍‌ ମଣ୍ଡଳ ଅନ୍ତର୍ଗତ ତାଙ୍କ ଜନ୍ମିତ ଗାଁ ଗାନ୍ଧୀନଗରରେ ପ୍ରକଟ ହୋଇ ଦଳୀୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଛନ୍ତି। ଦୁଇ ପୀଡ଼ିତ ଏ ଯାଏଁ ଅଭିଯୋଗ ଦାଏର କରି ନ ଥିବା ନଓ୍ଵିପେଟ୍‌ ଥାନା ଅଧିକାରୀ କହିଛନ୍ତି।

 

ସମ୍ବନ୍ଧିତ ଖବର