ବିମାନରେ ଯାତ୍ରା କରୁଥିବା ସମୟରେ ମିଳିଥିବା ଖାଦ୍ୟରେ ବାହାରିଲା ଦାନ୍ତ, ଯାତ୍ରୀ କହିଲେ ଏଭଳି କଥା…

ନୂଆଦିଲ୍ଲୀ: ପରିବହନ ସେବାରେ ପ୍ରଦାନ କରାଯାଉଥିବା ଖାଦ୍ୟରେ କେଶ, ଅସରପା, ଝିଟିପିଟି, ମାଛି, ମଶା ଆଦି ମିଳୁଥିବା ନେଇ ଅନେକ ଥର ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ବି ଏମିତି ଘଟଣା ସାମ୍ନାକୁ ଆସିଥାଏ। ନିକଟରେ ଏକ ସମାନ ଘଟଣା ଘଟିଛି। ଜଣେ ବିମାନଯାତ୍ରୀଙ୍କ ଖାଦ୍ୟରେ ଦାନ୍ତ ବାହାରିଥିବା ଜଣାପଡ଼ିଛି। ଏହି ଘଟଣାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଘାଡା ନାମକ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଦ୍ବାରା ସେୟାର କରାଯାଇଥିବା ଏହି ପୋଷ୍ଟରେ ବ୍ରିଟିଶ ଏୟରୱେଜ ଦ୍ବାରା ସଞ୍ଚାଳିତ ଏକ ବିମାନରେ ଯାତ୍ରୀଙ୍କୁ ଦିଆଯାଇଥିବା ଖାଦ୍ୟରେ ଦାନ୍ତର ଏକ ଖଣ୍ଡ ବାହାରିଥିବା ଦେଖିବାକୁ ମିଳିଛି। ଅକ୍ଟୋବର ୨୫ରେ ବିମାନ ବିଏ୧୦୭ ଲଣ୍ଡନରୁ ଦୁବାଇ ଯାଉଥିବା ବେଳେ ଏହି ଘଟଣା ଘଟିଛି।

ପୀଡିତ ଯାତ୍ରୀ ଜଣକ ବ୍ରିଟିଶ୍ ଏୟାରୱେଜକୁ ଟ୍ୟ‌ାଗକରି ଲେଖିଥିଲେ, ‘ମୋର ତ ସବୁ ଦାନ୍ତ ଅଛି, ତେବେ ଖାଦ୍ୟ ପ୍ଲେଟରେ ଦାନ୍ତ ଆସିଲା କେଉଁଠି? ଅତ୍ୟନ୍ତ ଭୟାବହ। ଆପଣଙ୍କ କଷ୍ଟମର କେୟାର ସହିତ ବି ସମ୍ପର୍କ କରିବାକୁ ଚେଷ୍ଟା କରିଛି। କିନ୍ତୁ ଯୋଗଯୋଗ ହୋଇପାରି ନାହିଁ।’

 

ଏହି ଘଟଣାକୁ ନେଇ ଏୟାରଲାଇନ ତୁରନ୍ତ ଜବାବ ଦେଇ କହିଥିଲା, ‘ନମସ୍କାର, ଆମକୁ ଏହା ଦେଖି ଦୁଃଖ ଲାଗୁଛି। କ’ଣ ଆମର କେବିନ କ୍ରୁଙ୍କୁ ଆମର ଗ୍ରାହକ ସମ୍ବନ୍ଧିତ ଟିମଙ୍କୁ ଆପଣଙ୍କ ଅଭିଯୋଗ ଦେଇଥିଲେ କି? ସୁରକ୍ଷା ପାଇଁ, ଦୟାକରି ଆମକୁ ଡିଏମ ଦ୍ବାରା କୌଣସି ବି ବ୍ୟକ୍ତିଗତ ବିବରଣୀ ପଠାନ୍ତୁ।’

ସମ୍ବନ୍ଧିତ ଖବର