ମହିଳାଙ୍କ ବେକରୁ ସୁନାହାର ଲୁଟ୍‌ ବେଳେ ଧରାପଡ଼ିଲା ଯୁବକ

ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର ବଜାରରେ ଆଜି ଅପରାହ୍ଣ ସାଢ଼େ ୪ଟାରେ ଜଣେ ମହିଳାଙ୍କ ବେକରୁ ସୁନା ହାର ଓ ଚେନ୍‌ ଲୁଟ୍‌ ହେଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ମହିଳାଙ୍କ ବେକରୁ ସୁନା ଅଳଙ୍କାର ଲୁଟ୍‌ କରି ଜଣେ ଯୁବକ ଖସି ପଳାଉଥିବା ବେଳେ ପୁଲିସ୍‌ ହାତରେ ଧରାପଡ଼ିଛି। ତାଠାରୁ ସୁନାହାର ଓ ଚେନ୍‌ ଜବତ ହୋଇଥିବା ପୁଲିସ୍‌ କହିଛି। ଘଟଣା ସଂପର୍କରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍‌ ଏନେଇ ୨୦୫/୧୭ରେ ମାମଲା ରୁଜୁ କରି ଯୁବକଙ୍କୁ ଅଟକ ରଖିଛି। ବାଲିପାଟଣା ଥାନା ଅଧିକାରୀ ରବି ନାରାୟଣ ଭଞ୍ଜ ଦେଇଥିବା ସୂଚନା ମୁତାବକ ପୁରୋହିତପୁର ଗ୍ରାମର ଧୋବେଇ ବେହେରା ତାଙ୍କ ପତ୍ନୀ ସୁଭାକାଂକ୍ଷୀ ବେହେରାଙ୍କୁ ବାଇକ୍‌ରେ ଧରି ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ। ବନମାଳିପୁର ବଜାରରେ ସେମାନେ ଯାଉଥିବା ସମୟରେ ସ୍ଥାନୀୟ ପ୍ରଧାନ ପାଟଣା ଗ୍ରାମର ଦୁର୍ଯୋଧନ ନାଥ(୨୮)ଶୁଭାକାଂକ୍ଷୀଙ୍କ ବେକରୁ ଏକ ୨୨ଗ୍ରାମ ଓଜନର ସୁନାହାର ଓ ୮ଗ୍ରାମ ଓଜନର ସୁନାଚେନ୍‌ ଛିଣ୍ଡାଇ ଖସି ପଳାଉଥିଲା ବୋଲି ଅଭିଯୋଗ ହୋଇଛି। ଦୁହେଁ ବଡ଼ପାଟିରେ ଡାକ ଛାଡ଼ିବାରୁ ସ୍ଥାନୀୟ ଲୋକେ ଓ ବନମାଳିପୁର ଫାଣ୍ଡି ପୁଲିସ୍‌ ସେଠାରେ ପହଞ୍ଚିଯାଇଥିଲେ। ଲୁଟ୍‌ କରି ଦୌଡ଼ି ପଳାଉଥିବା ଯୁବକକୁ ପୁଲିସ୍‌ ଧରିବା ସହ ତାଠାରୁ ସୁନାହାର ଓ ଚେନ୍‌ ଜବତ କରିଥିଲା। ଆସନ୍ତାକାଲି ତାକୁ କୋର୍ଟ ଚାଲଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର