ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ

ବାରଙ୍ଗ: ବାରଙ୍ଗ ଥାନା ଅଧୀନ ସୀତାରାମ ବଜାର ଲେବର କଲୋନିର ବାବାଜି ରାଉତଙ୍କ ପୁଅ ଆକାଶ ଓରଫ କାହ୍ନା (୧୮)ଙ୍କୁ କେହି କେହି ଦୁର୍ବୃତ୍ତ ବ୍ଲେଡ୍‌ରେ ଆକ୍ରମଣ କରିଛି। ତାଙ୍କ ବେକକୁ ବ୍ଲେଡ୍‌ରେ କାଟିଦେବାକୁ ଉଦ୍ୟମ ହୋଇଛି। ସୌଭାଗ୍ୟବଶତଃ ସେ ଏହି ଆକ୍ରମଣରୁ ରକ୍ଷା ପାଇ ଯାଇଛନ୍ତି।

ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୩ଟାରେ କଲୋନିର କାଳୀ ପଡ଼ିଆରେ ଯାତ୍ରା ଚାଲିଥିବା ବେଳେ ଆକାଶ ତାର ଜଣେ ସାଙ୍ଗର ଭାଇକୁ ମୁଣ୍ଡିଆ ଉପରେ ଥିବା ତାଙ୍କ ଘରେ ଛାଡ଼ି ଫେରୁଥିଲା। ଯାତ୍ରା ପଡ଼ିଆ ପାଖ ଝୁନ୍‌ଝୁନ୍‌ୱାଲା ବିଦ୍ୟାପୀଠ ରାସ୍ତାରେ ହଠାତ୍‌ କେହି ଜଣେ ଦୁର୍ବୃତ୍ତ ଆକାଶଙ୍କ ବେକରେ ବ୍ଲେଡ୍‌ ମାରି ଚାଲିଯାଇଥିଲା। ଏଥିରେ ଆକାଶଙ୍କ ବାମ ପାଖ ବେକ କଟି ଯାଇଥିଲା। ସେ ଚିତ୍କାର କରିଥିଲେ। ଯାତ୍ରା ଦେଖୁଥିବା ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତି କରାଇଥିଲେ। ଏ ନେଇ ଆକାଶଙ୍କ ବାପା ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛି। ସନ୍ଦେହରେ ଜଣେ ଯୁବକକୁ ଥାନାକୁ ଆଣି ପଚରାଉଚରା କରି ଛାଡ଼ି ଦେଇଛି। ଆକ୍ରମଣକାରୀ ଜଣକ କିଏ ଓ ସେ କେଉଁ ଉଦ୍ଦେଶ୍ୟରେ ଏପରି ଆକ୍ରମଣ କରିଥିଲା, ପୁଲିସ ଅନୁଧ୍ୟାନ କରୁଛି।

ସମ୍ବନ୍ଧିତ ଖବର