ସରପଞ୍ଚ ସ୍ବାମୀଙ୍କୁ ହତ୍ୟା କଲେ ନକ୍ସଲ:ପୋଷ୍ଟରରେ ବିଜେପି ନେତାଙ୍କୁ କ୍ଷମା ମାଗିବା ନେଇ ଧମକ

ମାଲକାନଗିରି: ମାଲକାନଗିରିରେ ସୀମାନ୍ତ ଛତିଶଗଡର ରାଜନନ୍ଦଗାଓଁ ଜିଲ୍ଲାର ମୋହଲା ମାନପୁର ନିକଟସ୍ଥ ପରଦୋନି ଠାରେ ମାଓବାଦୀମାନେ ସରପଞ୍ଚଙ୍କ ସ୍ବାମୀକୁ ବେକ କାଟି ହତ୍ୟା କରିଛନ୍ତି। ହତ୍ୟା ପରେ ଶବକୁ ଗାଁ ନିକଟରେ ଫିଙ୍ଗି ଦେଇଥିଲେ। ସେଠାରେ ଥିବା ଧାନ ଲୋଦା ହୋଇଥିବା ଟ୍ରାକ୍ଟରକୁ ପୋଡି ଦେଇଥିଲେ। ପୋଷ୍ଟରରେ ବିଜେପି ନେତା ରାଜୁ ଟଣ୍ଡିଆଙ୍କୁ ଆରଏସଏସ ନେତା କହିବା ସହ ତୁରନ୍ତ କ୍ଷମା ପ୍ରାର୍ଥନା କରିବାକୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ୨୦ରୁ ୩୦ ନକ୍ସଲ ମେନୁ ରାମ ଘରେ ପଶିଥିଲେ। ମେନୁରାମ ସେତେବେଳେ ରାତ୍ରୀ ଭୋଜନ ସାରି ଶୋଇବାକୁ ଯାଉଥିଲେ। ନକ୍ସଲ ମେନୁରାମଙ୍କୁ ମାଡ଼ ମାରିବା ସହ ଘରୁ ଅପହରଣ କରି ନେଇ ନିକଟସ୍ଥ ଜଙ୍ଗଊରେ ନିର୍ଦ୍ଧୁମ ପିଟିବା ସହ ବେକ କାଟି ହତ୍ୟା କରି ଦେଇଥିଲେ। ତେବେ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ପତ୍ନୀ ନକ୍ସଲଙ୍କ ନିକଟରେ ଯେତେ ନେହୁରା ହୋଇଥିଲେ ମଧ୍ୟ ସେମାନେ ଛାଡି ନଥିଲେ।

ମୃତ୍ୟୁବରଣ କରିଥିବା ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚଙ୍କ ସ୍ବାମୀ ମେନୁ ରାମ ସଲାମଙ୍କୁ ନକ୍ସଲ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ଜଣାପଡିଛି। ହତ୍ୟା ପରେ ମେନୁରାମଙ୍କ ନିକଟରେ ଏକ ପୋଷ୍ଟର ଛାଡି ଚାଲିଯାଇଥିଲେ। ପୋଷ୍ଟରରେ ଜଣେ ବିଜେପି ନେତା ସହ ଅନ୍ୟ ୨୫ ଜଣ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରାଯାଇଛି। ଯେଉଁମାନେ ପୁଲିସ ଇନଫରମର ଭାବେ କାମ କରୁଛନ୍ତି। ଗତ ପନ୍ଦର ଦିନ ମଧ୍ୟରେ ଦୁଇ ଜଣକୁ ନକ୍ସଲ ହତ୍ୟା କରିସାରିଲେଣି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର