ପତ୍ନୀହନ୍ତା ସ୍ୱାମୀକୁ ୧୦ ବର୍ଷ ଜେଲ୍‌ଦଣ୍ଡ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଦୌରାଜଜ୍‌ ମଙ୍ଗଳବାର ଏକ ହତ୍ୟା ମାମଲାର ବିଚାର କରି ଦୋଷୀକୁ ୧୦ ବର୍ଷ ଜେଲ୍‌ଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଓ ଏହା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍‌ଦଣ୍ଡାଦେଶ କରିଛନ୍ତି। ମାମଲା ଅନୁସାରେ, ୨୦୧୫ ମସିହା ଅକ୍ଟୋବର ୭ ତାରିଖ ସଂଧ୍ୟା ସମୟର ଘଟଣା। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ସୁଗୋ ଗାଁର କମାଣପଦା ସାହିର ବାପି ଓରଫ୍‌ ସୁଧୀର ଦେହୁରୀ(୩୦)।

ସେଦିନ ସକାଳେ ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ସୁନାକଣିଆ ହାଟକୁ ଯାଇଥିବା ବେଳେ ସେଠାରୁ ଘରକୁ ଫେରିବା ବେଳେ ନିଶାସକ୍ତ ଅବସ୍ଥାରେ ମାଂସ ଧରି ଆସିଥିଲା। ଘରେ ପହଞ୍ଚି ପତ୍ନୀ ବୁଇ ଓରଫ୍‌ ମୀନା ଦେହୁରୀଙ୍କୁ ରାନ୍ଧିବାକୁ କହିଥିଲା। ମାତ୍ର ବୁଇ କାମ କରି ଥକି ଯାଇଥିବାରୁ ରୋଷେଇ କରିବାକୁ ଅରାଜି ହୋଇଥିଲା। ଏହାକୁ କେନ୍ଦ୍ରକରି ସୁଧୀର ଓ ବୁଇ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଶେଷରେ ନିଜକୁ ନିୟନ୍ତ୍ରଣ କରିନପାରି ନିଶାସକ୍ତ ସୁଧୀର ଏକ ଧାରୁଆ ଛୁରିରେ ପିଠିପଟ ବାହୁତଳକୁ ଓ ପେଟକୁ ବାରମ୍ବାର ଭୁସି ହତ୍ୟା କରିଥିଲା।

ଏହାପରେ ଘଟଣାସ୍ଥଳରୁ ସୁଧୀର ଖସି ପଳାଇ ଯାଉଥିବା ବେଳେ ପଡ଼ିଶା ଲୋକ ତାକୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ସହ ଅଭିଯୁକ୍ତ ସୁଧୀରକୁ ଗିିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲା ବାଲେଶ୍ୱର ଜିଲ୍ଲା ଦେରାଜଜ୍‌ଙ୍କ ଅଦାଲତରେ ବିଚାରାଧୀନ ଥିବାବେଳେ ଆଜି ଜିଲ୍ଲାଜଜ୍‌ ରାମଶଂକର ହୋତା ମାମଲାର ଶୁଣାଣି କରି ଅଭିଯୁକ୍ତ ସୁଧୀରକୁ ଧାରା ୩୦୪ ଅନୁସାରେ ଦଣ୍ଡାଦେଶ କରିଥିଲେଯ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଣବ କୁମାର ପଣ୍ଡା ମୋକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର