ଡକାୟତି ଅଭିଯୋଗରେ ୨ ଗିରଫ, ୬୦ ହଜାର ଟଙ୍କା ଉଦ୍ଧାର

ଖୋର୍ଦ୍ଧା :  ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଏକ ଡକାୟତି ମାମଲାରେ ୨ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୬୦ହଜାର ଟଙ୍କା ଉଦ୍ଧାର କରିଛି ।
ଜାନୁଆରି ୧ ତାରିଖ ବିଳମ୍ବିତ ରାତିରେ ଖୋର୍ଦ୍ଧା ଉପକଣ୍ଠ ଏସ୍ଆର୍ ପେଟ୍ରୋଲ୍ ପମ୍ପ ନିକଟରେ କେତେକ ଦୁର୍ବୃତ୍ତ ଖୋର୍ଦ୍ଧାରୁ ଭୁବନେଶ୍ୱର ଯାଉଥିବା ଏକ ଟାଟା ଏସି ଗାଡ଼ିକୁ ଅଟକାଇ ଚାଳକ ଓ ଗାଡ଼ି ମାଲିକକୁ ମାଡ଼ ମାରିବା ସହ ସେମାନଙ୍କ ନିକଟରେ ଥିବା ୬୦ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ଗାଡ଼ି ମାଲିକଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୧/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସେହି ଅଂଚଳରେ କେତେକ ପେଷାଦାର ଅପରାଧି ସକ୍ରିୟ ରହୁଥିବାରୁ ସନ୍ଦେହରେ ସେମାନଙ୍କୁ ଧରିଆଣି ପଚରାଉଚୁରା କରିଥିଲା । ପଚରାଉଚୁରାରେ ଏହି ଡକାୟତିରେ ପୂର୍ବରୁ ଅନେକ ମାମଲାରେ ଜଡ଼ିତ ଥିବା ସେକ୍ ଇମତିଆଜ ଓ ସେକ୍ ତୌସିଫ୍ ଜଡ଼ିତ ଥିବା ଜଣାପଡ଼ିଥିଲା । ସେମାନଙ୍କୁ ଗିରଫ କରାଯାଇଥିଲା ଓ ସେମାନଙ୍କ ନିକଟରୁ ଲୁଟି ନେଇଥିବା ଟଙ୍କା ଉଦ୍ଧାର କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଥିବା ଟାଉନ୍ ଥାନା ଅଧିକାରୀ ଉମାଶଙ୍କର ସିଂହ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର