ହୀରାକୁଦରେ ରେକର୍ଡ ୨.୦୮ ଲକ୍ଷ ପକ୍ଷୀଙ୍କ ସମାଗମ

ଚିହ୍ନଟ ହେଲେ ୧୯ ନୂଆ ପ୍ରଜାତିର ବିଦେଶୀ ଚଢ଼େଇ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରକୁ ଚଳିତ ବର୍ଷ ରେକର୍ଡ ୨ ଲକ୍ଷ ୮ ହଜାର ପକ୍ଷୀ ଆସିଥିବା ଗତ ୭ ତାରିଖରେ ହୋଇଥିବା ପକ୍ଷୀ ଗଣନାରୁ ଜଣା ପଡ଼ିଛି। ଗତ ବର୍ଷ ଏହି ସଂଖ୍ୟା ୧ ଲକ୍ଷ ୨୪ ହଜାର ଥିବାବେଳେ ଏଥର ସର୍ବକାଳୀନ ରେକର୍ଡ ହୋଇଛି। ସେହିପରି ଗତ ବର୍ଷର ୯୮ ତୁଳନାରେ ଚଳିତ ବର୍ଷ ମଧ୍ୟ ରେକର୍ଡ ୧୦୪ ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୯ଟି ନୂତନ ପ୍ରଜାତିର ବିଦେଶୀ ପକ୍ଷୀ ଅଛନ୍ତି ଯେଉଁ ମାନେ ପୂର୍ବରୁ କେବେ ହୀରାକୁଦରେ ଦେଖାଯାଇ ନଥିଲେ ବୋଲି ପକ୍ଷୀ ଗଣନାର ନୋଡାଲ୍ ଅଧିକାରୀ ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁ ପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ଏଥର ନୂଆ କରି ଦେଖା ଯାଇଥିବା ପକ୍ଷୀଙ୍କ ମଧ୍ୟରେ ଅଛନ୍ତି ବ୍ଲାକ୍ ବିଟେର୍ନ, ପେରିଗ୍ରିନ୍ ଫାଲ୍‌କନ୍, ସ୍ବିଫ୍‌ଟ, ବ୍ଲାକ୍‌ ହେଡେଡ୍‌ ଇବିସ୍, ରଡି କ୍ରାକ୍, ହ୍ବାଇଟ୍ ବେଲିଡ୍ ସି’ଇଗଲ୍, ଫୁଲ୍‌ଭୋସ୍ ହ୍ବିସ୍‌ଲିଂ ଡକ୍, ପିଏଡ୍ ବୁସ୍‌ଚାର୍ଟ, ଲଙ୍ଗ ଟେଲ୍‌ଡ ସ୍ରିକ୍, ଷ୍ଟ୍ରିଆଟେଡ୍ ହେ‌ରନ୍, ପେଡିଫିଲ୍‌ଡ ପିପିଟ୍, ବ୍ଲାକ୍ ସୋଲ୍‌ଡର କାଇଟ୍, ବିଅର୍ସ ପୋଚାର୍ଡ, ୱେଷ୍ଟର୍ନ ୟେଲୋ ୱାଗ୍‌ଟେଲ୍‌, ନବ୍ ବିଲ୍‌ଡ ଡକ୍, ସାଇବେରିଆନ୍ ରୁବି ଥ୍ରଟ୍, ରେଡ୍‌ୱିଙ୍ଗ୍ ବୁସ୍‌ ଲାର୍କ, କ୍ରେଷ୍ଟେଡ୍ ଲାର୍କ ଓ ଗ୍ରିନ୍ ସାଣ୍ଡପିପର୍‌।

ଚଳିତ ବର୍ଷ ହୀରାକୁଦକୁ ସର୍ବାଧିକ ଆସିଥିବା ପକ୍ଷୀଙ୍କ ମଧ୍ୟରେ ଲେସର୍ ହ୍ବିସ୍‌ଲିଂ ଡକ୍‌ ସର୍ବାଧିକ ୫୨,୩୩୭ଟି ରେକର୍ଡ ହୋଇଛନ୍ତି। ସେହିପରି ଟଫ୍‌ଟେଡ୍ ଡକ୍ ୨୭,୬୭୭ଟି, କମନ୍ କୁଟ୍ ୨୧,୨୪୪ଟି, ଲିଟିଲ୍ କର୍‌ମୋରାଣ୍ଟ ୧୩,୦୭୬ଟି, ରେଡ୍ କ୍ରେଷ୍ଟେଡ୍ ପୋଚାର୍ଡ ୧୧,୨୨୦ଟି ଆସିଥିବା ଗଣନାରୁ ଜଣା ପଡ଼ିଛି। ହୀରାକୁଦରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପକ୍ଷୀପ୍ରେମୀ ଏବଂ ପରିବେଶବିତ୍‌ଙ୍କୁ ଉତ୍ସାହିତ କରିଛି। ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ଅଧିକ ୩୮ ବର୍ଗ କିଲୋମିଟର୍ ଅଞ୍ଚଳରେ ପକ୍ଷୀ ଗଣନା ହୋଇଥିବାରୁ ବି ଚଢ଼େଇ ସଂଖ୍ୟା ବୃଦ୍ଧି ପାଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରର ୫୩୩ ବର୍ଗ କିଲୋମିଟର୍ ଓ ପାୱାର୍ ଚାନେଲ୍‌ର ୫.୭ ବର୍ଗ କିଲୋମିଟର୍‌କୁ ମିଶାଇ ମୋଟ ୫୩୯ ବର୍ଗ କିଲୋମିଟର୍ ଜଳକ୍ଷେତ୍ରରେ ପକ୍ଷୀ ଗଣନା ହୋଇଥିଲା। ଗତ ୭ ତାରିଖ ଦିନ ହୋଇଥିବା ଗଣନାରେ ୩୮ ଜଣ ବିଶେଷଜ୍ଞଙ୍କ ସମେତ ପ୍ରାୟ ୧୦୦ ଜଣ ଗଣନାକାରୀ ସାମିଲ ହୋଇଥିଲେ। ସମଗ୍ର ଜଳକ୍ଷେତ୍ରକୁ ୧୫ଟି ସେକ୍ଟର୍‌ରେ ଭାଗ କରାଯାଇ ମୋଟ ୩୦ଟି ଡଙ୍ଗାରେ ପକ୍ଷୀ ଗଣନା କରା ଯାଇଥିଲା।

ସମ୍ବନ୍ଧିତ ଖବର