ସଡ଼କ ଦୁର୍ଘଟଣାରେ ଦୁଇ ଛାତ୍ରଙ୍କ ମୃତ୍ୟୁ

ରାଉରକେଲା: ସଡକ ଦୁର୍ଘଟଣାରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ଛାତ୍ର ରାଣା ଅଂଶୁମାନ ସିଂ ରଙ୍ଗିଲା ଛକ ଅଞ୍ଚଳରେ ରହୁଥିବା ବେଳେ ଅନ୍ୟଜଣେ ଛାତ୍ର ସାଇଲି ମୁଣ୍ଡା ଜଲଦା ଅଞ୍ଚଳରେ ରହୁଥିଲେ। ମିଳିଥିବା ସୂଚନା ଅନୁଯାୟୀ ସାଇଲି ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ଅଂଶୁମାନ ଦ୍ଵାଦଶ ଶ୍ରେଣୀରେ ପଢୁଥିଲେ। ଗତକାଲି ରାତିରେ ଜଣେ ପରିଚିତଙ୍କ ଠାରୁ ତାଙ୍କର ବୁଲେଟ ମୋଟରସାଇକେଲ ମାଗି ଉଭୟ ବୁଲି ବାହାରିଥିଲେ। ୧୪୩ ନମ୍ବର ଜାତୀୟ ରାଜପଥ ପୁରନ ବସ୍ତି ନିକଟରେ ବୁଲେଟ ଜଣେ ପଥଚାରି ପ୍ରଦୀପ ପୁରନଙ୍କୁ ଧକ୍କା ଦେଇଥିଲା।

ଧକ୍କା ପରେ ଉଭୟ ନାବାଳକ ଛାତ୍ର ଡିଭାଇଡରରେ ପିଟି ହୋଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଏହି ସମୟରେ ସେହି ରାସ୍ତାରେ ଆସୁଥିବା ଏକ ଟ୍ରକ ଉଭୟଙ୍କ ଉପରେ ଚଢ଼ିଯାଇଥିଲା। ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ଜଣେ ଛାତ୍ରଙ୍କର ହସପିଟାଲରେ ମୃତ୍ୟୁ ହୋଇଯାଇଥିଲା |

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକ ସାଇଲି ମୁଣ୍ଡାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ। ଦୁର୍ଘଟଣା ପରେ ଟ୍ରକ ନେଇ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଜଲଦା ଫାଣ୍ଡି ପୁଲିସ ଦୁର୍ଘଟଣା ଗ୍ରସ୍ତ ଓଡ଼ି-୧୪-କେ ୧୬୭୦ ନମ୍ବର ବୁଲେଟ ମୋଟରସାଇକେଲକୁ ଜବତ କରି ତଦନ୍ତ ଚଳାଇଛି ।

ସମ୍ବନ୍ଧିତ ଖବର