ମହାନଦୀରେ ଭାସି ଯାଉଥିବାବେଳେ ବୃଦ୍ଧାଙ୍କୁ ଉଦ୍ଧାର କଲେ ଦୁଇ ଯୁବକ

ବାଉଁଶୁଣି: ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତ ତେନ୍ତୁଳିପାଲିର ମହାନଦୀ ଘାଟରେ ବୁଧବାର ସକାଳେ ଜଣେ ବୃଦ୍ଧା ଭାସି ଯାଉଥିବା ବେଳେ ଗାଁର ଦୁଇ ଜଣ ଯୁବକ ବୃଦ୍ଧାଙ୍କୁ ଉଦ୍ଧାର କରି ତାଙ୍କ ଜୀବନ ବଞ୍ଚାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ତେନ୍ତୁଳିପାଲିର ପାର ନାୟକ (୬୫) ସ୍ବାମୀଙ୍କ ମୃତ୍ୟୁ ପରେ ପୈତୃକ ଗ୍ରାମ ଗୁନ୍ଦୁଳିଆରେ ରହୁଥିଲେ।

ତେବେ ବୁଧବାର ସକାଳେ ଗ୍ରାମର ଦୁଇ ଯୁବକ ଜମ୍ବେଶ୍ୱର ସେଠୀ ଓ ଦିଲ୍ଲୀପ ବେହେରା ହଠାତ ପାରଙ୍କୁ ମହାନଦୀର ଗଭୀର ଜଳରେ ଭାସି ଯାଉଥିବାର ଦେଖିବାକୁ ପାଇଥିଲେ। ଜମ୍ବେଶ୍ୱର ଓ ଦିଲ୍ଲୀପ ତୁରନ୍ତ ତାଙ୍କୁ ନଦୀ ଭିତରୁ ଉଦ୍ଧାର କରିଥିଲେ ଏବଂ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାଉଁଶୁଣି ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ।

ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି। ହେଲେ ବୃଦ୍ଧା ଜଣକ କିଭଳି ପରିସ୍ଥିତିରେ ନଦୀରେ ଭାସିଯାଇଥିଲେ ସେ ବିଷୟରେ ସଠିକ କିଛି ଜଣାପଡିନାହିଁ।

ସମ୍ବନ୍ଧିତ ଖବର