ଟ୍ରେନରୁ ଓହ୍ଲାଇ ପଡ଼ିଲେ ୨୭ ପ୍ରବାସୀ ଓଡ଼ିଆ, ଉଦ୍ଧାର କରି କୋଭିଡ଼୍ ହସପିଟାଲରେ ରଖିଲା ପ୍ରଶାସନ

ରାୟଗଡ଼ା: ଗୁଜୁରାଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ବାଲେଶ୍ବର ଅଭିମୁଖେ ଯାଉଥିବା ଟ୍ରେନରୁ ଓହ୍ଲାଇ ପଡ଼ିଛନ୍ତି ୨୭ ଶ୍ରମିକ। ମୁନିଗୁଡ଼ା ନିକଟ ଧାଣ୍ଡରା ରେଲୱେ ଫାଟକ ନିକଟରେ ଶ୍ରମିକମାନେ ଓହ୍ଲାଇବା ପରେ ଖବର ପାଇ ଆରପିଏଫ୍ ଟିମ୍ ଗେଟ୍ ନିକଟରେ ପହଞ୍ଚି ଶ୍ରମିକଙ୍କୁ ଅଟକ ରଖିଥିଲା। ଅଟକ ସମସ୍ତ ଶ୍ରମିକଙ୍କ ଘର ମୁନିଗୁଡା ଅଞ୍ଚଳରେ। ଆରପିଏଫ୍ ଶ୍ରମିକଙ୍କୁ ବିଷମକଟକ ବ୍ଲକ୍ ପ୍ରଶାସନକୁ ହସ୍ତାନ୍ତର କରିବା ପରେ କୋଭିଡ଼୍ ହସପିଟାଲରେ ରଖାଯାଇଛି।

ଆଜି ସଂଧ୍ୟା ୬ଟାରେ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ମୁନିଗୁଡା ଅତିକ୍ରମ କରିଥିଲା। ରାୟଗଡ଼ା ଅଭିମୁଖେ ଟ୍ରେନ୍ ଆସୁଥିବା ବେଳେ ଧାଣ୍ଡରା ଗେଟ୍ ନିକଟରେ କୌଣସି କାରଣବଶତଃ ଟ୍ରେନର ଗତି ଧିମା ହୋଇଥିଲା। ଏହାର ସୁଯୋଗ ନେଇ ୨୭ ଶ୍ରମିକ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ। ଟ୍ରେନ୍ ଗାର୍ଡ ଏ ସଂପର୍କରେ ମୁନିଗୁଡା ଆରପିଏଫକୁ ଖବର ଦେବା ପରେ ଆରପିଏଫ୍ ଟିମ୍ ଧାଣ୍ଡରା ଗେଟ୍ ନିକଟରେ ପହଞ୍ଚିଥିଲେ।

ସମସ୍ତ ଶ୍ରମିକଙ୍କୁ ଅଟକ ରଖାଯାଇ ବିଷମକଟକ ବ୍ଲକ୍ ପ୍ରଶାସନକୁ ଖବର ଦିଆଯାଇଥିଲା। ବିଡ଼ିଓ ଆଲର୍ବଟ୍ ଲାକ୍ରାଙ୍କ ନିର୍ଦେଶରେ ସ୍ବତନ୍ତ୍ର ଗାଡ଼ି ଧାଣ୍ଡରା ଗେଟ୍ ନିକଟରେ ପହଞ୍ଚିବା ପରେ ଶ୍ରମିକଙ୍କୁ ନିଆଯାଇ ବିଷମକଟକ କୋଭିଡ଼୍ ହସପିଟାଲରେ ରଖାଯାଇଛି। କ୍ବାରାଣ୍ଟିନ୍ ଅବଧି ଶେଷ ହେବା ପରେ ଶ୍ରମିକଙ୍କୁ ନିଜ ଘରକୁ ଛଡ଼ାଯିବ ବୋଲି ବିଡ଼ିଓ ଶ୍ରୀ ଲାକ୍ରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର