ନବରଙ୍ଗପୁର : ବିଲରେ କାମ କରିବାବେଳେ ବଜ୍ରପାତ, ୩ ମୃତ

ଛତିଶଗଡ଼ରୁ ଚାଷ କରିବାକୁ ଆସି ବଜ୍ରାଘାତର ଶିକାର

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡା ପଞ୍ଚାୟତର ପାତ୍ରୀମାଲ୍ ଠାରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି ।  ଦିନ ଦ୍ବିପହର‌ରେ ବଜ୍ରାଘାତ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେଠାରୁ କିଛି ଦୂରରେ ୪ ଗୋଟି ବଳଦର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରୁ ଛତିଶଗଡ଼ ଅନ୍ତର୍ଗତ ଛୟଲା ଗ୍ରାମର ଧନସିଂ ଅଣ୍ଟି (୪୨), ପାତ୍ରୀମାଲ୍ ଗ୍ରାମର ତଥା ଧନସିଂ ଙ୍କ ବଡ଼ ଭଉଣୀ ରୟମନି ଗଣ୍ଡ (୫୦)ଓ ଖରକରାପରା ଗ୍ରାମର ଅମରୁ ନାୟକ (୨୫) ବୋଲି ଜଣାପଡିଛି । ଏହି ଘଟଣାରେ ପାତ୍ରୀମାଲ୍ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନା ଅନୁଯାଇ ଛତିଶଗଡ଼ ଅନ୍ତର୍ଗତ ଛୟଲା ଗ୍ରାମର ଧନସିଂ ଅଣ୍ଟିଙ୍କ ଭଉଣୀ ରାୟମନି ଗଣ୍ଡ ପାତ୍ରୀମାଲ୍ ଠାରେ ରହୁଥିବା ବେଳେ ସେ ଅଞ୍ଚଳରେ ଧାନ ଚାଷ କରିବା ପାଇଁ ଧନସିଂ କିଛି ଜମି ବନ୍ଧକ ରଖିଥିଲେ । ଧନସିଂ ଅଣ୍ଟି କିଛି ଦିନ ହେବ ଭଉଣୀ ଘରେ ଚାଷକାମ କରିବାକୁ ଆସିଥିବା ବେଳେ ଆଜି ସେଥିମଧ୍ୟରୁ ବନ୍ଧକ ରଖିଥିବା ଦୟାରାମ ଗଣ୍ଡଙ୍କ ଜମିରେ ଧାନ ବୁଣିବାକୁ ଯାଇଥିଲେ । ସାଥିରେ ବଡ଼ ଭଉଣୀ ରାୟମନି ଗଣ୍ଡ ଓ ଭଣଜା କ୍ଷମାନିଧି ଗଣ୍ଡଙ୍କୁ ନେଇ ଯାଇଥିବା ବେଳେ ଉକ୍ତ ଜମିରେ ଚାଷ କରିବାକୁ ଖରକାରପାରାର ଅମରୁ ନାୟକ ମଧ୍ୟ ନିଜ ଟ୍ରାକ୍ଟର ନେଇ ଯାଇଥିଲେ । ଦିନ ପ୍ରାୟ ୨ ଘଣ୍ଟା ସମୟରେ ଜମିରେ ଧାନ ବିହନ ବୁଣିବା ସମୟରେ ହଠାତ ଝଡ଼ ତୋଫାନ ସହିତ ବର୍ଷା ଆରମ୍ଭ ହୋଇଥିଲା | ଠିକ୍ ଏହି ସମୟରେ  ବଜ୍ରାଘାତ ହୋଇ ଘଟଣା ସ୍ଥଳରେ ରାୟମନି ଗଣ୍ଡ , ଧନସିଂ ଅଣ୍ଟି ଓ ଅମରୁ ନାୟକଙ୍କ ଦେହରେ ନିଆଁ ଲାଗିବା ସହିତ ସେମାନେ ତଳେ ଟଳି ପଡ଼ିଥିଲେ । ତେବେ କ୍ଷମାନିଧି ଏଥିରୁ ବର୍ତ୍ତି ଯାଇଥିଲେ । କ୍ଷମାନିଧି ତଳେ ପଡ଼ି  ଉଠିବା ବେଳକୁ ଅନ୍ୟ ତିନିଜଣଙ୍କ ଦେହର କିଛି କିଛି ସ୍ଥାନରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ସେମାନଙ୍କ ଦେହରେ ଲାଗିଥିବା ନିଆଁକୁ ଲିଭାଇଥିଲେ ବି ସୁଦ୍ଧା ସେମାନଙ୍କୁ ବଞ୍ଚାଇ ପାରି ନଥିଲେ | ପରେ କ୍ଷମାନିଧି ଫୋନ୍ ଯୋଗେ ପରିବାର ଲୋକଙ୍କୁ ଓ ସାଙ୍ଗସାଥୀଙ୍କୁ ଜଣାଇବା ପରେ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା ।

ଏହି ଘଟଣାରେ ପାତ୍ରୀମାଲ୍ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଶୋକସଂତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇବାକୁ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ନବୀନା ନାୟକ , ଜିଲ୍ଲାପରିଷଦ ସଭ୍ୟ ଖଗେଶ୍ବର ହରିଜନ ଓ ପୂର୍ବତନ ବିଧାୟକ ସୁବାସ ଗଣ୍ଡ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଖବର ପାଇ ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ଜଗୁ ପୁଜାରୀ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିବା ବେଳେ ଅନ୍ଧାର ହୋଇଯିବା ଫଳରେ ତିନିଜଣଙ୍କ ଶବ ଆସନ୍ତା କାଲି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି । ସେହିଭଳି ଠିକ୍ ଏହି ସମୟରେ ବର୍ଷା ଯୋଗୁଁ ପାତ୍ରୀମାଲ୍ ଗ୍ରାମର ଶେଷ ମୁଣ୍ଡରେ ଥିବା ଏକ ଗଛ ମୂଳେ ଚାରି ଗୋଟି ବଳଦ ଆଶ୍ରୟ ନେବା ସମୟରେ ବଜ୍ରାଘାତ ହୋଇ ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ଘଟିଥିବା ବଳଦ ଗୁଡ଼ିକ ମଧ୍ୟରୁ ଭରତ ମାଝୀଙ୍କ ୨ ଗୋଟି , ଭୁବନେଶ୍ୱର ମାଝୀଙ୍କ ଗୋଟିଏ ଓ ଲାୟବନ ମାଝୀଙ୍କ ଗୋଟିଏ ବଳଦ ରହିଛି | ଆଜିର ଏଭଳି ଘଟଣାରେ ପାତ୍ରୀମାଲ୍ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଛି । ମୁଖ୍ୟତଃ ଖରକରାପରା ଗ୍ରାମର ନକୁଳ ନାୟକଙ୍କ ଏକ ମାତ୍ର ପୁଅ ଅମରୁ ନାୟକଙ୍କ ମୃତ୍ୟୁରେ ସାରା ଗୋନା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |।ଅମରୁ ନାୟକ ଜଣେ ଭଦ୍ର ଓ ମେଳାପୀ ଯୁବକ ରହିଥିଲେ । ତାଙ୍କ ବିୟୋଗରେ ସମସ୍ତଙ୍କ ମନରେ ଦୁଃଖ ଭରି ଦେଇଛି ।

ସମ୍ବନ୍ଧିତ ଖବର