ଜନ୍ମ ମାଟିର ମୋହ: ରେଳ ଲାଇନ୍ କଡ଼ରେ କେରଳରୁ କନ୍ଧମାଳ ଅଭିମୁଖେ ଚାଲିଲେ ୩ ପ୍ରବାସୀ ଓଡ଼ିଆ ଶ୍ରମିକ

ଘୁ.ଉଦୟଗିରି: ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲାରେ କାମଧନ୍ଦା ଆଭାବରୁ ବହୁ ସଂଖ୍ୟାରେ ଯୁବଗୋଷ୍ଠୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି। ବିଶେଷ କରି କେରଳରେ ହଜାର ହଜାର ସଂଖ୍ୟାରେ ଶ୍ରମିକ ଅଛନ୍ତି। କାଠ ମିଲ, ପ୍ଲାଏ ମିଲରେ କାମ କରି ରୋଜଗାର କରିଥାନ୍ତି। କରୋନା ଭୁତାଣୁ ସଂକ୍ରମଣ ରୋକିବା ନିମନ୍ତେ ଲକଡାଉନ ଯୋଗୁଁ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି। ଲକଡାଉନ ପ୍ରଭାରେ ସମସ୍ତ କଲକାରଖାନା ବନ୍ଦ ହୋଇଯିବା ଫଳରେ କାମ କରୁଥିବା ଶ୍ରମିକମାନଙ୍କ ଅବସ୍ଥା ଦୟନୀୟ ସ୍ଥିତିରେ।

କାରଖାନା ମାଲିକମାନେ କିଛିଦିନ ଖାଇବା ପିଇବା ଦେଇ ରଖିଲେ। କିଛିଦିନ ପରେ ପ୍ରବାସୀ ଶ୍ରମିକଙ୍କୁ ଆଉ ମାଲିକମାନେ ଖାଇବାକୁ ଦେଇପାରିଲେନି। ଯାହା ପାଖରେ ସଞ୍ଚିତ ଅର୍ଥ ଥିଲା ତାକୁ ବସି ବସି ଖାଇ ସରିଯିବା ପରେ ପରିସ୍ଥିତି ସ୍ବଭାବିକ ନହେବା କଲକାରଖାନା ନ ଚାଲିବା ଯୋଗୁଁ ପ୍ରବାସୀ ଶ୍ରମିକମାନଙ୍କ ଦୁର୍ଦଶା ବଢ଼ିବାରେ ଲାଗିଲା। ପେଟର ଜ୍ୱାଳା ସାଙ୍ଗକୁ ଜନ୍ମମାଟିର ମୋହ ନିଜ ଜନ୍ମ ମାଟିକୁ ଫେରିବା ନିମନ୍ତେ ବିନା ଟ୍ରେନ ବିନା ଗାଡ଼ିରେ ଚାଲି ଚାଲି ସୁଦୂର କେରଳ ରାଜ୍ୟରୁ ଆସିବାର ଦୁଃସାହସ କରିଛନ୍ତି କନ୍ଧମାଳ ଜିଲ୍ଲାର ତିନିଜଣ ଯୁବକ।

ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ପଂଚାୟତର ଡାମ୍ବା ଗ୍ରାମର ପ୍ରମିଶ ନାୟକ, ଟିକାବାଲି ବ୍ଲକ ଅନ୍ତର୍ଗତ ବଡିମୁଣ୍ଡା ପଂଚାୟତର ବ୍ରେକା ଗ୍ରାମର ଫିନସ ଦିଗାଲ ଏବଂ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଂଚାୟତର ନନ୍ଦଗିରି ଗ୍ରାମର ଦୀପକ ନାୟକ  କାମ କରୁଥିବା କାଠ ମିଲ ମାଲିକ ବହୁ କଷ୍ଟ ଦେବା ସହ ଭୋକ ଉପବାସରେ ରଖିଥିଲା। ପେଟର ଭୋକକୁ ସମ୍ଭାଳି ନ ପାରି ଗତ ୧୩ତାରିଖ ଦିନ ପାତଟିଟା ଜିଲ୍ଲାର ସୀତାର ସହରରୁ ରେଳ ଲାଇନ କଡେ କଡେ ଚାଲି ଓଡିଶା ଅଭିମୁଖେ ବାହାରି ୩୦୦କିମି ଭୋକ ଉପବାସରେ ଆସି ଆଜି କୋଟନ ଜିଲ୍ଲାରେ ପହଂଚିବା ପରେ ଆଉ ଆଗକୁ ଚାଲିବାର ସମ୍ବଳ ନ ଥିଲା। ତେଣୁ ସ୍ଥାନୀୟ ରେକ ଷ୍ଟେସନ ନିକଟ ତେଙ୍ଗେନାତେରି ଥାନାକୁ ଯାଇ ଓଡିଶା ଫେରିବା ନିମନ୍ତେ ନେହୁରା ହେଲେ ହେଲେ କିଛି ଫଳ ମିଳିଲାନି ଓଲଟି ଯେଉଁ ରାସ୍ତାରେ ଆସିଛ ଯୋଉଠୁ ଆସିଛ ସେଠିକୁ ଫେରିଯିବାକୁ ତାଗିଦ କଲେ ଥାନା ବାବୁ।

ବିଚରା ତିନି ପ୍ରବାସୀ ଯୁବକ ପୁଣି ରାସ୍ତା ଉପରକୁ ଆସି ଭୋକ ଉପବାସରେ ସଢ଼ୁଛନ୍ତି। ରେଳ ଲାଇନ କଡେକଡେ ଚାଲି ଆସିବା ବେଳେ ଓଡିଶା ସରକାରଙ୍କୁ ନେହୁରା ହୋଇ ନିଜ ଜନ୍ମ ମାଟିକୁ ଫେରେଇନେବାକୁ ଭିଡିଓ ମାଧ୍ୟମରେ ଅନୁରୋଧ କରି ସୋସିଆଲ ମିଡିଆରେ ଛାଡିବା ପରେ ଘଟଣା ଜଣାପଡିଥିଲା ଏବଂ ସେଇ ଶ୍ରମିକମାନେ ଛାଡିଥିବା ନିଜ ମୋବାଇ ନଂ ରେ ଯୋଗାଯୋଗ କରି ସମସ୍ତ ବିବରଣୀ ହସ୍ତଗତ ହୋଇଥିଲା।ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଏହି ଶ୍ରମିକ ଭାଇମାନଙ୍କୁ ଓଡ଼ିଶାକୁ ଫେରେଇ ଆଣିବାକୁ ସ୍ଥାନୀୟ ଅଞ୍ଚଳବାସୀ ଏବଂ କେରଳରେ ଫସିଥିବା ପ୍ରବାସୀ ଶ୍ରମିକଙ୍କ ପରିବାର ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର