ସାମ୍ଭାବ୍ୟ ବାତ୍ୟା ପାଇଁ ଯାଜପୁରରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଯାଜପୁର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଓଡିଶାରେ ପ୍ରଭାବ ବିସ୍ତାର କରିବାର ଥିବାରୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ସତର୍କ କରାଇଦେଇଛନ୍ତି। ଯାଜପୁର ଜିଲ୍ଲା ପକ୍ଷରୁ ମଧ୍ୟ ଅନୁରୂପ ଭାବେ ପ୍ରସ୍ତୁତି ଜୋରଦ‌ାର କରାଯାଇଥିବା ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି।

କରୋନା ତାଲିକାରେ ଯାଜପୁର ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀ ଏଥିପାଇଁ ବ୍ୟସ୍ତ ରହୁଛନ୍ତି। ଏହାରି ଭିତରେ ବାତ୍ୟା ସୂଚନା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ଏହା ଅତିରିକ୍ତ ଦାୟିତ୍ବ ଭାବେ ଗ୍ରହଣକରିବାକୁ ଜିଲ୍ଲାପାଳ କହିଛନ୍ତି। ଏଥିପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି। ଏଥିପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଛୁଟି ବାତିଲ କରାଯିବା ସହ ମେହି ହେଡକ୍ବାଟର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବ୍ଲକ ଓ ତହସିଲ ମାନଙ୍କରେ ଅନୁରୂପ ବ୍ୟବସ୍ଥା ସହ ସମସ୍ତ ଲାଇନ ଡିପାର୍ଟମେଣ୍ଟ , ହସପିଟାଲ ଓ ଅନ୍ୟାନ୍ୟ ବାତ୍ୟା ସହାୟକ କାର‌୍ୟ୍ୟାଳୟ ଗୁଡିକ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ସମୟରେ ସମସ୍ତ କର୍ମଚାରୀମାନେ କାର‌୍ୟ୍ୟାଳୟ ଆସି ପ୍ରଦାନ କରାଯାଇଥିବା ଦାୟିତ୍ବକୁ ସୂଚାରୂ ରୂପେ ନିର୍ବାହ ପାଇଁ କୁହାଯାଇଛି। ଅପର ପକ୍ଷେ ପ୍ରତ୍ୟେକ ନିୟନ୍ତ୍ରଣ କକ୍ଷକୁ ରାତିଦିନ କାର‌୍ୟ୍ୟକ୍ଷମ କରିବା, ଲୋକମାନଙ୍କୁ ଜରୁରୀ ସୂଚନା ଦେବା, ଆଶ୍ରୟ ସ୍ଥଳକୁ ଲୋକଙ୍କ ରହଣି ଉପଯୋଗ କରିବା, ମୌଳିକ ସୁବିଧା ଉପରେ ଗୁରୁତ୍ବ ଦେବାକୁ ରାଜସ୍ବ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲିକ ସମସ୍ତ ବିଡିଓ, ତହସିଲଦାର ଓ ଜରୁରୀକାଳୀନ ବିଭାଗ ଗୁଡିକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର