ରାଉରକେଲା: ଘରକୁ ଛୁଟିରେ ଯିବେ ୩୨ ଆଜୀବନ କଏଦୀ

ରାଉରକେଲା: କରୋନା ଅନେକଙ୍କ ପାଇଁ ଦୁଃଖ ଓ ଯନ୍ତ୍ରଣା ଆଣିଥିବାବେଳେ ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନଙ୍କୁ କିଛିଟା ଖୁସି ଦେଇଛି। ସେମାନେ ହେଉଛନ୍ତି ଜେଲ୍‌ରେ ସଜା କାଟୁଥିବା କଏଦୀ। ସାମାଜିକ ଦୂରତାକୁ ଦୃଷ୍ଟିରୁ ବର୍ତ୍ତମାନ କଏଦୀମାନଙ୍କୁ ଛୁଟିରେ ଘରକୁ ଯିବାର ଦିଆଯାଉଛି। ସୁନ୍ଦରଗଡ ଜିଲ୍ଲାର ସୁନ୍ଦରଗଡ ଓ ବଣାଇଁ ସବ୍‌ଜେଲ୍ ପରି ଆସନ୍ତାକାଲି (ରବିବାର) ରାଉରକେଲା ସ୍ବତନ୍ତ୍ର ଜେଲ୍‌ରୁ ୩୨ ଜଣ ଆଜୀବନ ଛୁଟିରେ ଘରକୁ ଯିବେ।

ଏମାନଙ୍କ ମଧ୍ୟରେ ୨ଜଣ ମହିଳା ଅଛନ୍ତି। ଆସନ୍ତାକାଲି ଠାରୁ ଆବଶ୍ୟକୀୟ କାଗଜପତ୍ର ‌ଦାଖଲ କରିବା ପରେ ଜେଲରୁ ଛଡାଯିବ ବୋଲି ଜେଲର ନିରାକାର ପାଢ଼ୀ କହିଛନ୍ତି। ସେ କହିଛନ୍ତି, କରୋନା କଟକଣା ପରେ ଜେଲ୍‌ ଆଇଜିଙ୍କ ନିର୍ଦ୍ଦେଶକ୍ରମେ କେଉଁ ଆଜୀବନ କଏଦୀଙ୍କୁ ଛୁଟିରେ କିଛିଦିନ ପାଇଁ ଘରକୁ ଯିବାର ସୁଯୋଗ ଦିଆଯିବ, ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଉଲ୍ଲେଖନୀୟ ଯେ ରାଉରକେଲା ସ୍ବତନ୍ତ୍ର ଜେଲ୍‌ରେ ମୋଟ୍‌ ୮୦୩ କଏଦୀ ରହିବା ସୁବିଧା ଅଛି।

ବର୍ତ୍ତମାନ ଅଛନ୍ତି ୫୫୦ ଜଣ କଏଦୀ। ଜେଲ୍‌ ସେଲ୍‌ରେ ସାମାଜିକ ଦୂରତାକୁ ବିଶେଷ ଧ୍ୟାନ ଦିଆଯାଉଛି। ଜେଲକୁ ଆସୁଥିବା ନୂଆ କଏଦୀଙ୍କୁ ପ୍ରଥମେ ତିନି ଦିନ ସ୍ବତନ୍ତ୍ର ସେଲ୍‌ରେ ରଖାଯାଉଛି। ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନଙ୍କୁ ଅନ୍ୟ କଏଦୀମାନଙ୍କ ସହ ରହିବାକୁ ସୁଯୋଗ ଦିଆଯାଉଛି। ଉଲ୍ଲେଖଯୋଗ୍ୟ ଯେ ଏକ ସପ୍ତାହ ପୂର୍ବେ କରୋନା କଟକଣା ପାଇଁ ସୁନ୍ଦରଗଡ ଜେଲ୍‌ରୁ ଦୁଇ ପର୍ଯ୍ୟାୟରେ ମୋଟ୍‌ ୪୦ କଏଦୀଙ୍କୁ ରାଉରକେଲା ଜେଲ୍‌କୁ ଅଣାଯାଇଥିଲା। କରୋନା ସଂକ୍ରମଣ ଭୟରେ ସେମାନଙ୍କୁ ସ୍ବତନ୍ତ୍ର ସେଲ୍‌ରେ ୫ ଦିନ ପାଇଁ ଅଲଗା ରଖାଯାଇଥିଲା।

ସମ୍ବନ୍ଧିତ ଖବର