କରୋନା ହଟସ୍ପଟ୍ ହୋଇପାରେ ସର୍ଗିଗୁଡ଼ା: ଗୋଟିଏ ଗାଁରୁ ଚିହ୍ନଟ ହେଲେଣି ୫, ଦିଲ୍ଲୀ ଲିଙ୍କରେ ୪

ରାୟଗଡ଼ା: କରୋନା ହଟସ୍ପଟ୍ ହୋଇପାରେ କାଶୀପୁର ବ୍ଲକର ସର୍ଗିଗୁଡ଼ା। ଗାଁରୁ ଆଜି ସୁଦ୍ଧା ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଦିଲ୍ଲୀ ଲିଙ୍କ୍ ଏବଂ ଜଣେ ଆନ୍ଧ୍ରପ୍ରଦେଶ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି। ପୂରା ଗାଁକୁ ପ୍ରଶାସନ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରି କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି। ଦିଲ୍ଲୀ ଲିଙ୍କ୍ ପ୍ରଶାସନ ସମେତ ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇଥିବାରୁ ସ୍ଥିତି ନିୟନ୍ତ୍ରଣାଧୀନ ପାଇଁ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି।

ଜିଲ୍ଲାର ପ୍ରଥମ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ ଅନାଗାର ଗାଁର ଯୁବକ। ଯୁବକ ଜଣଙ୍କ ଡଙ୍ଗାସିଲ୍ ସଙ୍ଗରୋଧ କେନ୍ଦ୍ରରେ ରହି ଘରକୁ ଫେରିବା ପରେ ସର୍ଗିଗୁଡ଼ାର ଦୁଇ ଜଣ ତାଙ୍କୁ ଦେଖିବାକୁ ଯାଇ ଆକ୍ରାନ୍ତ ହୋଇଥିଲେ। ଏବେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗାଁର ଆଉ ୨ ଯୁବକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୧୬ ବର୍ଷର ଯୁବକ ରହିଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଗାଁର ବହୁ ଲୋକ ଆସିଥିବାରୁ ସମସ୍ତ ସାହିକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। କଣ୍ଟାକ୍ଟ ଟ୍ରେସିଂରେ ଗାଁର ଶହେ ଲୋକଙ୍କ ସ୍ବାବ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ବାବ ପଜିଟିଭ୍ ଆସିଥିଲା। ‌ଚିହ୍ନଟ ହୋଇଥିବା ଆକ୍ରାନ୍ତ ସର୍ଗିଗୁଡ଼ା ଟିଏମସିରେ ଥିବାରୁ ସଂକ୍ରମଣ ବ୍ୟାପିବା ଆଶା କମ୍ ରହିଛି। କିନ୍ତୁ ଦିଲ୍ଲୀ ଲିଙ୍କ୍ ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ବହୁ ଲୋକ ଆସିଥିବାରୁ ପର୍ଯ୍ୟାୟକ୍ରମେ ସମସ୍ତଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଇବାକୁ ଯୋଜନା କରିଛି ସ୍ବାସ୍ଥ୍ୟ ବିଭାଗ।

ଜିଲ୍ଲାରେ ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ୨୨ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୯ ଜଣ କାଶୀପୁର ବ୍ଲକର। ସେଥି ମଧ୍ୟରୁ ୫ ଜଣ ସର୍ଗିଗୁଡ଼ା, ରେଙ୍ଗାରୁ ଜଣେ, ଅନଗାରରୁ ଜଣେ ଏବଂ କାଶୀପୁରରୁ ଜଣେ ଆକ୍ରାନ୍ତ ରହିଛନ୍ତି। ଯାହା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଜିଲ୍ଲାର ସବୁଠୁ ବଡ଼ ବ୍ଲକ୍ ସହିତ ସର୍ବାଧିକ ଜନସଂଖ୍ୟାରେ କାଶୀପୁର ବ୍ଲକ୍ ସର୍ବାଗ୍ରେ ରହିଛି। ଯଦି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଠିକ୍ ଭାବେ ଚିହ୍ନଟ କରିବାରେ ସ୍ବାସ୍ଥ୍ୟ ବିଭାଗ ବିଫଳ ହୁଏ ତାହାହେଲେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଏଡ଼ାଇ ହେବନି। ସ୍ବାସ୍ଥ୍ୟ ବିଭାଗ ସୂଚନାନୁଯାୟୀ, ୨୬ତମ ପର୍ଯ୍ୟାୟରେ ୧୨୫ ଜଣଙ୍କ ସ୍ବାବ ପରୀକ୍ଷଣ ପାଇଁ ଯାଇଥିବା ବେଳେ ୧୨୦ ସ୍ବାବ ନେଗେଟିଭ୍ ଓ ୫ ସ୍ବାବ ପଜିଟିଭ୍ ଆସିଛି। ଜିଲ୍ଲାରୁ ଆଜି ସୁଦ୍ଧା ପରୀକ୍ଷା ହୋଇଥିବା ୨୬୯୫ ସ୍ବାବ ମଧ୍ୟରୁ ୨୬୭୩ ସ୍ବାବ ନେଗେଟିଭ୍, ୨୨ ସ୍ବାବ ରିପୋର୍ଟ ପଜିଟିଭ୍ ଆସିଛି।

ସମ୍ବନ୍ଧିତ ଖବର